ଯୌତୁକ ଦାବି କରି ଗଛରେ ବନ୍ଧା ହେଲେ ବର
ପାଟନା : ଅଧିକ ଯୌତୁକ ମାଗିବାରୁ ହଠାତ୍ କନିଆ ଘର ଲୋକେ ବରଙ୍କୁ ଟେକିନେଇ ଏକ ଗଛରେ ବାନ୍ଧି ଦେଇଥିଲେ । ଦୀର୍ଘ ସମୟ ପରେ ପୁଲିସ୍ ପହଞ୍ଚି ବରକୁ ଉଦ୍ଧାର କରିଛି। ଏପରି ଏକ ଅଜବ କାଣ୍ଡ ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ଘଟିଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ବିବାହ ଉତ୍ସବ ନିମନ୍ତେ ବର ପକ୍ଷ ପ୍ରତାପଗଡ଼ରେ ପହଞ୍ଚିଥିଲେ। ବେଶ୍ ଜାକଜମକରେ ବିବାହ ଚାଲିଥିବା ବେଳେ ହଠାତ୍ ଘଟିଲା ଅଜବ କାଣ୍ଡ। ପୂର୍ବରୁ କିଛି ଦାବି କରି ନଥିବା ବର ପକ୍ଷ ହଠାତ୍ ବିବାହ ମଝିରେ ଯୌତୁକ ଦାବି କରିଥିଲେ। ଏହା ଶୁଣି କନିଆ ଘର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏପରିକି ନିଜ ଦାବିରୁ ଓହରିଯିବାରୁ ସେମାନେ ନେହୁରା ବି ହୋଇଥିଲେ। ହେଲେ ବର ପକ୍ଷ କିଛି ଶୁଣି ନଥିଲେ। ଏଥିରେ ଉତ୍ତ୍ୟକ୍ତ କନିଆ ଘର ଲୋକେ ଚରମ ପଦକ୍ଷେପ ନେଇଥିଲେ। ବର ଓ କନିଆଁ ପରସ୍ପରଙ୍କୁ ବରଣମାଳା ପକାଇବା ପୂର୍ବରୁ କନିଆ ପକ୍ଷ ଲୋକେ ବରଙ୍କୁ ଟେକି ନେଇ ଘର ପାଖ ଏକ ଗଛରେ ବାନ୍ଧି ଦେଇଥିଲେ। ଏଥିସହ ବରଯାତ୍ରୀଙ୍କୁ ଅଟକ ରଖିଥିଲେ। ଦୀର୍ଘ ସମୟ ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବରଙ୍କ ସମେତ ବରଯାତ୍ରୀଙ୍କୁ ସେଠାରୁ ଉଦ୍ଧାର କରିଥିଲା।