୧୫ ପରେ ଓଡ଼ିଶା ଛୁଇଁବ ମୌସୁମୀ

0

ଭୁବନେଶ୍ବର: ଏଥର ରଜ ରୌଦ୍ରଯୁକ୍ତ ରହିବ। ସାଧାରଣତଃ ରଜ ବେଳକୁ ପ୍ରାକ୍ ମୌସୁମୀ ଓଡ଼ିଶା ଛୁଇଁ ସାରିଥିବାରୁ ପାଗ କୋହଲା ତଥା ଆରାମଦାୟକ ଥାଏ। ମାତ୍ର ଏଥର ମୌସୁମୀ ପ୍ରବେଶ ଓଡ଼ିଶା ଲାଗି ବିଳମ୍ବ ହେବ। ଆସନ୍ତା ୧୫ ତାରିଖ ପରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା ରହିଛି। ତେବେ ଏନେଇ ଏବେ ସ୍ପଷ୍ଟତା ଆସିନି। ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଏନେଇ ସ୍ପଷ୍ଟ ଚିତ୍ର ଆସିପାରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଚଳିତବର୍ଷ ନିଦାଘରେ ରଜ ପାଳନ ହେବ। କାରଣ ପାଣିପାଗ ଆକଳନ କହୁଛି ଆଗାମୀ ୫ ଦିନ ଯାଏ ତାତିରୁ ନିସ୍ତାର ନାହିଁ। ପ୍ରବଳ ତାତି ଓ ଅସହ୍ୟ ଗୁଳିଗୁଳିରେ ଯଥାକ୍ରମେ ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶା ଘାଣ୍ଟି ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ସପ୍ତାହେ ବିଳମ୍ବରେ କେରଳ ଛୁଇଁଛି। ସ୍ବାଭାବିକ ଭାବେ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ; କିନ୍ତୁ ଏଥର ଜୁନ ୮ରେ ପ୍ରବେଶ କରିଥିଲା।

ଜୁନ ୧ରେ ମୌସୁମୀ କେରଳ ଆସିଲେ ତା’ର ୧୦ରୁ ୧୨ଦିନ ମଧ୍ୟରେ ଓଡ଼ିଶାକୁ ଆସିଥାଏ। ହେଲେ ଏସନ ସପ୍ତାହେ ବିଳମ୍ବରେ ମୌସୁମୀ କେରଳ ଆସିଥିବାରୁ ଓଡ଼ିଶାକୁ ବି ଆସିବାରେ ବିଳମ୍ବ ହୋଇପାରେ। ପ୍ରାୟତଃ ୧୫ ତାରିଖ ପରେ ମୌସୁମୀ ଆସିପାରେ। କେବେ ଓଡ଼ିଶାରେ ମୌସୁମୀ ସ୍ପର୍ଶ କରିବ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇ ନଥିବା ବେଳେ ଆଗାମୀ ଦୁଇରୁ ତିନିଦିନ ମଧ୍ୟରେ ଏନେଇ ସ୍ପଷ୍ଟତା ଆସିଯିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ (ଆଇଏମଡି-ଡିଜି) ଡ.ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?