ମଣିପୁରରେ ଥମୁନି ହିଂସା : ୩ ଜଣଙ୍କୁ ଗୁଳି ମାରି ହତ୍ୟା
ଇମ୍ଫାଲ : ଥମୁନି ହିଂସା। ଏବେବି ଜଳୁଛି ମଣିପୁର, ଅକାଳରେ ଚାଲି ଯାଉଛି ବହୁ ନୀରିହଙ୍କ ଜୀବନ । ହିଂସା ଯୋଗୁଁ ମଣିପୁରରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ଖାକି ବର୍ଦ୍ଦିରେ କମ୍ବିଂ ଅପରେସନ କରୁଥିବା କହି କିଛି ଲୋକ ମଣିପୁରର ଖୋକେନ ଗାଁରେ ପଶିବା ସହ ୩ ଜଣଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା ଥିବା ଜଣାଯାଇଛି। ସେହିପରି ବିଜେପି ବିଧାୟକ ଏସ୍ କେବିଙ୍କ ବାସଭବନ ଉପରକୁ ଗ୍ରେନେଡ୍ ମାଡ଼ ହୋଇଥିବା ଜଣାଯାଇଛି।
ବୃଦ୍ଧାଜଣକ ଗାଁ ନିକଟ ଏକ ଚର୍ଚ୍ଚରେ ଗତ ରାତିରେ ଆଶ୍ରୟ ନେଇଥିବା ବେଳେ ତାଙ୍କୁ କରି ହତ୍ୟା କରାଯାଇଛି। ଅନ୍ୟ ୨ ଜଣ ସକାଳୁ ସକାଳୁ ସଉଦା ଆଣିବାକୁ ଏକ ଅଟୋରେ ନିକଟସ୍ଥ ଗାଁକୁ ଯାଉଥିବା ବେଳେ ସେମାନେ ଗୁଳି ମାଡ଼ର ଶିକାର ହୋଇଥିଲେ।
ଏହି ହତ୍ୟାକାଣ୍ଡ ଘଟାଇଥିବା ଗନ୍ମ୍ୟାନ୍ ମିଲିଟାରୀ ଡ୍ରେସକୋଡ ପରି ଡ୍ରେସ ପିନ୍ଧିଥିବା ବେଳେ ସେମାନେ ଆସିଥିବା ଗାଡ଼ି ସେନା ବ୍ୟବହାର କରୁଥିବା ଗାଡ଼ି ପରି ଦିଶୁଥିଲା। ଗୁଳିକାଣ୍ଡ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ସେନା ସେଠାରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ।