ଆନ୍ଧ୍ରରେ ଓଡ଼ିଆ ଶ୍ରମିକ ମୃତ
ନୂଆପଡ଼ା : ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ନୂଆପଡ଼ା ଜିଲ୍ଲା କୋମନା ପଞ୍ଚାୟତ ଭରୁଆମୁଣ୍ଡା ବୀରସିଂପଡ଼ାର ବିଶ୍ରାମ ମାଝୀ (୪୫ବର୍ଷ)ଙ୍କ ସେଠାରେ ମୃତ୍ୟୁ ହୋଇଛି। ଅର୍ଥାଭାବରୁ ଗାଁକୁ ଶବ ଅଣାନଯାଇ ସେଠାରେ ଅନ୍ତିମ ସତ୍କାର କରାଯାଇଥିବା ବେଳେ ବିଶ୍ରାମଙ୍କ ମା’ ପୁଅର ବାଟ ଅନାଇ ରହିଛନ୍ତି। ବିଶ୍ରାମ ଗତ ଦଶହରା ସମୟରେ ହାଇଦ୍ରାବାଦ ସହରର ଜଣେ ଇଟାଭାଟି ମାଲିକଙ୍କଠାରୁ କିଛି ଟଙ୍କା ଅଗ୍ରିମ ନେଇ ପତ୍ନୀ ଗୋମତୀ ମାଝୀ (୪୦ ବର୍ଷ) ଓ ତିନି ଛୋଟ ଛୁଆଙ୍କୁ ନେଇ ଅନ୍ଧ୍ରପ୍ରଦେଶର ଉକ୍ତ ଇଟାଭାଟିରେ କାମ କରୁଥିଲେ। ଗତ ୩୧ ତାରିଖ ବିଶ୍ରାମ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ନିକଟସ୍ଥ ଏକ ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ସ୍ବାମୀର ଶବ ଗାଁକୁ ଆଣିବାକୁ ପତ୍ନୀଙ୍କ ପକ୍ଷେ ସମ୍ଭବ ନଥିବାରୁ ସେଠାରେ ଅନ୍ତିମ ସତ୍କାର କରାଯାଇଥିଲା। କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ମୃତକଙ୍କ ପରିବାରକୁ ଭେଟି ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।