“ମୁଁ କିଛି ଜାଣିନି ଏମିତି କେମିତି ହେଲା, ସଵୁ ଗୁଡ୍ ଫେଥରେ ଚାଲିଥିଲା । ମୁଁ ଯଦି ଏକୁଟିଆ ଟଙ୍କା ଖାଇଗଲି, ତେବେ ଆକାଉଣ୍ଟ ଭର୍ସର କ’ଣ କରୁଥିଲେ?”
– ଗଣମାଧ୍ୟମ ସାମନାରେ ମୁହଁ ଖୋଲିଲେ ଶିଳାକୀର୍ତ୍ତି
– ନିଜର ପକ୍ଷ ରଖିବାକୁ ୩ଦିନ ସମୟ ଦେଇଛନ୍ତି ଉପଜିଲ୍ଲାପାଳ
-ଅର୍ଥ ତୋଷରପାତରେ ଜଡ଼ିତ ପୂର୍ଵତନ ଅଧ୍ୟକ୍ଷଙ୍କ ସମେତ ଏକାଧିକ କର୍ମଚାରୀ
କୋଣାର୍କ, ୫/୬ : ନକଲି ରସିଦ୍ ବ୍ୟବହାର କରି ଛାତ୍ରଛାତ୍ରୀଙ୍କର ୨୩ଲକ୍ଷ ଟଙ୍କା ଚଳୁ କରି ଦେଇଥିବା କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀ ଶିଳାକୀର୍ତ୍ତି ପାତ୍ର ଅଭିଯୋଗର ୪ସପ୍ତାହ ପରେ ଶନିବାର ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛନ୍ତି। ନିଜ ସପକ୍ଷରେ ସଫେଇ ଦେଇ ସେ କହିଛନ୍ତି ଯେ, “ଏସବୁ କେମିତି ହେଲା ମୁଁ କିଛି ଜାଣିନି। ମୁଁ ଯଦି ଏକୁଟିଆ ଟଙ୍କା ଖାଇଗଲି, ତେବେ ଆକାଉଣ୍ଟ ଭର୍ସର କ’ଣ କରୁଥିଲେ ? ଅନ୍ୟମାନେ ଵି ରସିଦ୍ କାଟୁଥିଲେ । ହାୟର ଅଥରିଟି ଦସ୍ତଖତ କରିବା ପରେ ମୁଁ କିଛି ନଦେଖି ଦସ୍ତଖତ କରି ଦେଉଥିଲି । ସବୁ ଗୁଡ୍ ଫେଥରେ ଚାଲିଥିଲା।” ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆକାଉଣ୍ଟ ଭର୍ସର ସରୋଜ ଶତପଥୀଙ୍କ ସମେତ ପୂର୍ବତନ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଶିଳାକୀର୍ତ୍ତି।
ଶିଳାକୀର୍ତ୍ତି ୨୦୧୭ମସିହାରୁ ୨୦୨୨ମସିହା ଡିସେମ୍ବର ମାସ ମଧ୍ୟରେ ନକଲି ରସିଦ୍ ବ୍ୟବହାର କରି ୨୨ଲକ୍ଷ ୮୭ହଜାର ୩୭୫ଟଙ୍କା ହଡ଼ପ କରିଥିବା ଆକାଉଣ୍ଟସ ଯାଞ୍ଚ୍ କମିଟି କୋଣାର୍କ କଲେଜ୍ ଅଧ୍ୟକ୍ଷଙ୍କୁ ଗତ ୨୮ତାରିଖରେ ରିପୋର୍ଟ ପ୍ରଦାନ କରିଥିଲା । କୋଣାର୍କ କଲେଜ୍ ଅଧ୍ୟକ୍ଷ ଅବତାର ମିଶ୍ର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଗତ ୨୯ ତାରିଖରେ ପତ୍ର ଲେଖି ଶିଳାକୀର୍ତ୍ତିଙ୍କ ଏହି କାରନାମା ସଂପର୍କରେ ଅବଗତ କରିଵା ସହିତ ଶିଳାକୀର୍ତ୍ତିଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଥିଲେ। ସଂପ୍ରତି କଲେଜର ସଭାପତି ଦାୟିତ୍ୱରେ ଥିବା ପୁରୀ ଉପଜିଲ୍ଲାପାଳ ଭଵତାରଣ ସାହୁ ଅର୍ଥ ତୋଷରପାତ ସଂପର୍କରେ ତଦନ୍ତ କରିଵା ପାଇଁ ଶୁକ୍ରବାର ଶିଳାକୀର୍ତ୍ତି ଓ କଲେଜ ଅଧ୍ୟକ୍ଷ ଅବତାର ମିଶ୍ରଙ୍କୁ ପୁରୀ ଡାକି ପଚାରିଥିଲେ। ଉତ୍ତରରେ ଶିଳାକୀର୍ତ୍ତି ନିଜର ଦୋଷ ସ୍ବୀକାର କରିଥିଲେ ମଧ୍ୟ ମୁଁ ଏତେ ଟଙ୍କା ହଡ଼ପ କରିନାହିଁ ବୋଲି କହିଥିଲେ। ନିଜର ପକ୍ଷ ରଖିଵା ପାଇଁ ଶିଳାକୀର୍ତ୍ତି ସମୟ ମାଗିବାରୁ ଉପଜିଲ୍ଲାପାଳ ୩ଦନ ସମୟ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଶିଳାକୀର୍ତ୍ତି ଶନିଵାର କୋଣାର୍କ କଲଜ ପରିସରକୁ ଆସି ଆକାଉଣ୍ଟ କମିଟିର ଯାଞ୍ଚ ରିପୋର୍ଟକୁ ଦେଖିଛନ୍ତି। ସଂପ୍ରତି ଆକାଉଣ୍ଟାଣ୍ଟ ଦାୟିତ୍ୱରେ ଥିବା ଅଶୋକ କୁମାର ସାହୁ ଆକାଉଣ୍ଟସ କମିଟିର ଯାଞ୍ଚ ରିପୋର୍ଟକୁ ଶିଳାକୀର୍ତ୍ତିଙ୍କୁ ଦେଖାଇଥିଲେ। ଏହି ସମୟରେ ଶିଳାକୀର୍ତ୍ତିଙ୍କ ସ୍ୱାମୀ ଅପୂର୍ବ ରଞ୍ଜନ ରାୟ ସେଠାରେ ଉପସ୍ଥିତ ରହିଵା ସହିତ ଗଣମାଧ୍ୟମକୁ କହିଥିଲେ ଯେ, ସମସ୍ତେ ଖାଇଛନ୍ତି ଯେତେବେଳେ ସମସ୍ତେ ଧରାହେଵେ, ଆମେ କ’ଣ ଏକୁଟିଆ ଧରାହେଵୁ। ଶିଳାକୀର୍ତ୍ତି ଓ ତାଙ୍କ ସ୍ୱାମୀଙ୍କ ଵୟାନରୁ ସ୍ପଷ୍ଟ ହୋଇଛି ଯେ, ଏହି ଆର୍ଥିକ ଅନିୟମିତତା ସହିତ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ଆକାଉଣ୍ଟ ଭର୍ସର ଦାୟିତ୍ବରେ ଥିବା କେତେକ ଅଧ୍ୟାପକ ଓ କର୍ମଚାରୀ ସଂପୃକ୍ତ ଅଛନ୍ତି। ବର୍ଷ ବର୍ଷ ଧରି ଅର୍ଥ ହରିଲୁଟ କରି ଧରାପଡ଼ିବ ପରେ ନିଜର ଦୋଷ ସ୍ବୀକାର କରିଥିବା ଶିଳାକୀର୍ତ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଅପରାଧିକ ମାମଲା ଦାୟର କରାଯିବା ସହିତ ଏହି ଆର୍ଥିକ ଅନିୟମିତତାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଧିବଦ୍ଧ ତଦନ୍ତ କରାଯିବାକୁ କଲେଜର ପୁରାତନ ଛାତ୍ର ସଂଘ ଦାବି କରିଛି।