ବାହାନଗାରେ ମୋଦି
ବାଲେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆଜି ଅପରାହ୍ନ ପ୍ରାୟ ୩.୪୫ ମିନିଟ୍ରେ ବାୟୁସେନାର ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ବାହାନଗା ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ସହ ଫିଲ୍ଡରୁ ମଧ୍ୟ ସ୍ଥିତି ଦେଖିଥିଲେ।
ମୋଦିଙ୍କ ଗସ୍ତ ବେଳେ ତାଙ୍କ ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରେଳ ବିଭାଗ ଓ ସୁରକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ସମ୍ପର୍କରେ ଜଣାଇଥିଲେ। ରେଳ ଦୁର୍ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା କାର୍ଯ୍ୟକୁ କାଟଛାଣ୍ଟ କରାଯାଇଥିଲା।
ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳ ଦେଖି ସାରିବା ପରେ ବାଲେଶ୍ୱର ମେଡିକାଲକୁ ଯିବେ। ସେଠାରେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ଅବସ୍ଥା ପଚାରି ବୁଝିବେ। ରେଳ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ବ୍ୟସ୍ତବହୁଳ ବହୁ କାର୍ଯ୍ୟକ୍ରମ ବାତିଲ କରି ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ନିମନ୍ତେ ପହଞ୍ଚିଛନ୍ତି।