ଦେଶକୁ ସମ୍ବୋଧିତ କରିବା ବେଳେ ମଧ୍ୟବିତ୍ତ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱାରୋପ କଲେ ମୋଦୀ
ନୂଆଦିଲ୍ଳୀ: 77ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ତ୍ରିରଙ୍ଗା ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାନଜନ କହି ସମ୍ୱୋଧିତ କରିଛନ୍ତି। ସେ କହିଛନ୍ତି, “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର 140 କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।” ଦେଶକୁ ସମ୍ବୋଧିତ କରିବା ବେଳେ ମଧ୍ୟବିତ୍ତ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।
“ଦେଶକୁ ଆଗକୁ ନେଇଯିବାର ଗୋଟିଏ ମୂଳ କଥା ହେଉଛି ମହିଳା ନେତୃତ୍ୱାଧୀନ ବିକାଶ। ଆଜି ଆମେ ଗର୍ବର ସହିତ କହିପାରିବା ଯେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭାରତରେ ସର୍ବାଧିକ ମହିଳା ପାଇଲଟ୍ ଅଛନ୍ତି। ମହିଳା ବୈଜ୍ଞାନିକମାନେ ଚନ୍ଦ୍ରଯାନ ମିଶନକୁ ଆଗେଇ ନେଉଛନ୍ତି। ଜି -୨୦ ଦେଶଗୁଡ଼ିକ ମଧ୍ୟ ଏହାର ଗୁରୁତ୍ୱକୁ ସ୍ବୀକାର କରିଛନ୍ତି’’ ବୋଲି ମୋଦୀ କହିଛନ୍ତି।
ଲାଲକିଲ୍ଲାରେ ନିଜର ଅଭିଭାଷଣ ବେଳେ ମଣିପୁରରେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ସେ କହିଛନ୍ତି, “ମଣିପୁରର ଲୋକଙ୍କ ସହ ଦେଶ ଛିଡ଼ା ହୋଇଛି। କେବଳ ଶାନ୍ତି ବଜାୟ ରଖି ହିଁ ସମାଧାନ ମିଳିପାରିବ। ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି।”ସେ ମଣିପୁର ହିଂସା ନେଇ ଆହୁରି ବି କହିଛନ୍ତି ଯେ ‘କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି। ଏଥିସହ ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଶାନ୍ତି ଅଛି। ସାରା ଦେଶ ମଣିପୁରବାସୀଙ୍କ ସହ ଅଛି। ଆଲୋଚନା ମାଧ୍ୟମରେ ମଣିପୁରର ସମାଧାନର ରାସ୍ତା ବାହାରିବ।’