ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା: ପୁଲିସ ହାତରେ ଶୁଭଲକ୍ଷ୍ମୀଙ୍କ କଲ ଡିଟେଲସ ରିପୋର୍ଟ
ଭୁବନେଶ୍ୱର: କଟକରୋଡ୍ରେ ଥିବା ହୋଟେଲ୍ ଦୀପାଳିରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତହେଦ ଜବତ ଘଟଣାରେ ଆଜି ପୁଲିସ ନିକଟକୁ ଶୁଭଲକ୍ଷ୍ମୀଙ୍କ କଲ ଡିଟେଲ ରିପୋର୍ଟ ଆସିଛି | କଲ୍ ଡିଟେଲ ରିପୋର୍ଟରୁ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବାବେଳେ ମୃତ୍ୟୁ ପୂର୍ବରୁ କାହା ସାଙ୍ଗେ କଥା ହୋଇଥିଲେ ସେ ବିଷୟରେ ଜାଣିବା ପାଇଁ ସିଡ଼ିଆର ରିପୋର୍ଟ ମଗାଯାଇଥିଲା | ସେପଟେ ପୁଲିସକୁ ହସ୍ତଗତ ହୋଇଥିବା ପୋଷ୍ଟମର୍ଟମ୍ ରିପୋର୍ଟ ରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଜଣା ପଡିଥିବା ବେଳେ ଭିଷେରା ରିପୋର୍ଟକୁ ଅପେକ୍ଷା କରାଯାଇଛି | ଅନ୍ୟପଟେ ପ୍ରଥମ ବୟଫ୍ରେଣ୍ଡ ସଞ୍ଜୟ ପରେ ଆଜି ଦ୍ଵିତୀୟ ବୟଫ୍ରେଣ୍ଡ ଅନୀଲକୁ ଥାନାକୁ ଡାକି ଜେରା କରାଯାଇଛି | ଉଲ୍ଲେଖ ଥାଉ କି ମିଳିଥିବା ସୂଚନା ଅନୁସାରେ, ଶୁଭଲକ୍ଷ୍ମୀ କମଳା ନେହରୁ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟର +୨ କଳା ଛାତ୍ରୀ। ଶୁଭଲକ୍ଷ୍ମୀ ଶୁକ୍ରବାର ଅପରାହ୍ନ ୩ଟା ୨୦ରେ ଦୀପାଳି ହୋଟେଲକୁ ଆସିଥିଲେ।
ଅତିଥି ରେଜିଷ୍ଟରରେ ତାଙ୍କର ନାଁ ଥିବାବେଳେ ସେ ହୋଟେଲର ୨୦୫ ନମ୍ବର ରୁମରେ ରହୁଥିଲେ। ପରଦିନ ଅର୍ଥାତ ଶନିବାର ସକାଳୁ ସେ ରୁମରୁ ବାହାରି ନଥିଲେ। କବାଟ ବାଡ଼େଇବାରୁ ବି କୌଣସି ଉତ୍ତର ମିଳି ନଥିଲା। ତେଣୁ ଅପରାହ୍ନ ପ୍ରାୟ ୫ଟାରେ କବାଟକୁ ଜୋର୍ରେ ଠେଲିବାରୁ ଭିତରପଟୁ ଦିଆ ଯାଇଥିବା ହୁକ୍ ଭାଙ୍ଗି ଯାଇଥିଲା। ସେ ଝୁଲୁଥିବା ଦେଖି ହୋଟେଲ୍ କର୍ମଚାରୀ ପୁଲିସ ଜଣାଇଥିଲେ। ଏହାପରେ ପୁଲିସ ତଦନ୍ତ କରିଥିଲା | ତେବେ ଗତକାଲି କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ ବ୍ୟବଚ୍ଛେଦ ରିପୋର୍ଟ ଲକ୍ଷ୍ମୀସାଗର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା ।
ସେଥିରେ କୁହାଯାଇଥିଲା ଯେ ବ୍ୟବଚ୍ଛେଦ ସମୟର ୨୪ରୁ ୩୬ ଘଣ୍ଟା ମଧ୍ୟରେ ତାଙ୍କ ମୃତ୍ୟୁ ଘଟିଥିଲା। ଶ୍ବାସରୁଦ୍ଧ ଯୋଗୁଁ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ସେ ଝୁଲିପଡ଼ିଥିବାରୁ ତାଙ୍କ ବେକରେ ଓଢ଼ଣି ଦାଗ ରହିଛି। ଏହାଛଡ଼ା ଶରୀର ଅନ୍ୟ କୌଣସି ସ୍ଥାନରେ କ୍ଷତଚିହ୍ନ ନଥିବା ସ୍ପଷ୍ଟ ହୋଇଥିଲା | ଅନ୍ୟପଟେ ତାଙ୍କୁ ନିଶା କିମ୍ବା କୌଣସି ବିଷାକ୍ତ ଖାଦ୍ୟ ଦିଆଯାଇଥିବା ନେଇ ସନ୍ଦେହ ହେଉଛି | ତେଣୁ ତାଙ୍କର ଭିସେରାକୁ ଆଜି ଏସ୍ଏଫ୍ଏସ୍ଏଲ୍କୁ ପଠାଯାଇଛି | ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ଗୁମର ଖୋଲିବ ବୋଲି ଜଣାପଡ଼ିଛି।