ଯାତ୍ରୀବାହୀ ବସ୍ ଓଲଟି ଲାଗିଗଲା ନିଆଁ, ୨୫ ଜୀବନ୍ତ ଦଗ୍ଧ
ମୁମ୍ବାଇ: ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ୱେ’ରେ ଯାଉଥିବା ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ୨୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଥିବା କଥା ପୁଲିସ କହିଛି।
ବସ୍ଟି ନାଗପୁରରୁ ପୁଣେ ଅଭିମୁଖେ ପ୍ରାୟ ୩୩ ଯାତ୍ରୀଙ୍କୁ ଧରି ଯାଉଥିଲା। ମାତ୍ର ରାତି ପ୍ରାୟ ପ୍ରାୟ ୨ଟା ବେଳେ ବସ୍ଟି ବୁଲଢାଣା ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ବସ୍ର ଚକା ଫାଟିଯାଇଥିଲା। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ଏହାର ଡ୍ରାଇଭର କହିଛନ୍ତି।
ବସ୍ଟି ଓଲଟି ପଡ଼ିଥିବା ବେଳେ ସଙ୍ଗେସଙ୍ଗେ ସେଥିରେ ନିଅଁ ଲାଗି ଯାଇଥିଲା। ଉକ୍ତ ସମୟରେ ବସ୍ର ଅଧିକାଂଶ ଯାତ୍ରୀ ଶୋଇ ପଡ଼ିଥିଲେ। ଆଖି ପିଛୁଳାକେ ନିଆଁ ସମଗ୍ର ବସ୍କୁ ବ୍ୟାପି ଯାଇଥିବା ବେଳେ ଯାତ୍ରୀମାନେ ବାହାରକୁ ବାହାରି ପାରି ନ ଥିଲେ। ଫଳରେ ୨୫ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।
ବୁଲଢାଣା ଡେପୁଟି ପୁଲିସ କମିସନର୍ ବାବୁରାଓ ମହାମୁନି କହିଛନ୍ତି, ବସ୍ରୁ ୨୫ଟି ଶବ ବାହାର କରାଯାଇଛି। ସେ ବସ୍ରେ ସମୁଦାୟ ୩୩ଜଣ ଲୋକ ଥିଲେ। ୬ରୁ ୮ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁଲଢାଣା ସିଭିଲ୍ ହସ୍ପିଟାଲ୍କୁ ନିଆଯାଉଛି।
ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଳନ୍ତା ବସ୍ରୁ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ୨୫ ଯାତ୍ରୀଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିବାରୁ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିବା ଏକ ଚ୍ୟାଲେଞ୍ଜ ଭାବେ ଛିଡ଼ା ହୋଇଛି। ଫଳରେ ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି। ମୃତକ ଓ ଗୁରୁତରଙ୍କ ସୂଚନା ନିମନ୍ତେ ବୁଲଢାନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ହେଲ୍ପଲାଇନ୍ ନଂ ଜାରି କରାଯାଇଛି।
ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଡ୍ରାଇଭରଙ୍କ ବୟାନର ଛାନଭିନ କରୁଛି।