ମାଉସୀ ମା’ ମନ୍ଦିର ପାଖରେ ଅଟକିଲା ନନ୍ଦିଘୋଷ
ପୁରୀ: ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅକଟି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି। ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି। ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା। ଭକ୍ତମାନେ ଆସନ୍ତାକାଲି ମଧ୍ୟ ବଡ଼ଦାଣ୍ଡରେ ରଥଟଣାର ସୁଯୋଗ ପାଇବେ।
ଆଜି ନୀଳକନ୍ଦରରୁ ଭକ୍ତଙ୍କ ଗହଣକୁ ଓହ୍ଲାଇ ଅସିଛନ୍ତି ମହାବାହୁ। ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି। ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଆଜି ୫ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ୱେ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ରଥ ପହଞ୍ଚିପାରି ନ ଥିଲା। ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନିଠାକୁର। ସେପଟେ ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦେଖି ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛି। ରଥ ଟାଣି ହାତ, ପାଦ ଓ ଶରୀରକୁ ମହାପ୍ରଭୁଙ୍କ ସେବାରେ ଲଗାଇ ଭକ୍ତ ଧନ୍ୟ ମଣିଛନ୍ତି।