ଶକ୍ତି ମନ୍ତ୍ରୀ ଗିରଫ
ଚେନ୍ନାଇ: ମଙ୍ଗଳବାର ରାତିରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ତାମିଲନାଡୁର ଶକ୍ତି ତଥା ଅବକାରୀ ମନ୍ତ୍ରୀ ଭି. ସେନ୍ଥିଲ୍ ବାଲାଜୀଙ୍କୁ ଗିରଫ କରିଛି। ମଙ୍ଗଳବାର ଦିନ ବାଲାଜୀଙ୍କ ଘରେ ଚଢ଼ଉ ଓ ତଲାସ କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟରାତ୍ର ପରେ ‘ଡିଏମ୍କେ’ ନେତା ଭି. ସେନ୍ଥିଲ୍ ବାଲାଜୀଙ୍କୁ ଜେରା କରିବା ପାଇଁ ହାଜତକୁ ନେବା ବେଳେ ସେ କାନ୍ଦି ପକାଇଥିଲେ।
ଛାତିରେ ଯନ୍ତ୍ରଣା ହେଉଛି କହିବାରୁ କଡ଼ା ପହରା ମଧ୍ୟରେ ରାତାରାତି ତାଙ୍କୁ ଚେନ୍ନାଇସ୍ଥିତ ଓମାନ୍ଦୁରାର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ‘ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍’ରେ ଭର୍ତ୍ତି କରାଯାଇଥିବା କଥା ‘ଡିଏମ୍କେ’ ନେତାମାନେ କହିଛନ୍ତି। ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ସେ କାର୍ ଭିତରେ ଶୋଇ ଯନ୍ତ୍ରଣାରେ କାନ୍ଦୁଥିବା ବେଳେ ବାହାରେ ସମବେତ ହୋଇଥିବା ସମର୍ଥକମାନେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ କରିଥିଲେ।