ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟିମ୍ ପାଇପ୍ ଫାଟି ୧୯ ଗୁରୁତର
ମେରାମଣ୍ଡଳୀ/ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ମଙ୍ଗଳବାର ଅପରାହ୍ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଠାରେ ବ୍ଲାଷ୍ଟ ଫର୍ଣ୍ଣେସର ଷ୍ଟିମ୍ ଲାଇନ୍ ବିସ୍ଫୋରଣ ଘଟି ୧୯ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁସାରେ ଓଡ଼ାପଡା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ କମ୍ପାନିରେ ଆଜି ଅପରାହ୍ଣରେ ଷ୍ଟିମ ଲାଇନ ବିସ୍ପୋରଣ ଘଟି ୧୯ ଜଣ ଶମିକ ଗୁରୁତର ହୋଇଛନ୍ତି। ବିଏଫ୍ ପାୱାର ପ୍ଲାଣ୍ଟ-୨ ନିକଟରେ ଷ୍ଟିମ ଲାଇନ ନିକଟରେ ଶ୍ରମିକମାନେ କାମ କରୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା। ଫଳରେ ଶ୍ରମିକମାନଙ୍କୁ ଗୁରୁତର ଭାବେ ପ୍ରଥମେ ଟାଟା ଷ୍ଟିଲ ଫାଷ୍ଟ ଏଡ଼ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।
କଂପାନି ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାକୁ ଆମେ ଗୁରୁତର ସହିତ ନେଇଛୁ। ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଶ୍ରମିକମାନଙ୍କର ପରିବାର ଲୋକଙ୍କ ସହିତ ଯୋଗାେଯୋଗ କରାଯାଇଛି। ପୀଡିତ ପରିବାରକୁ କଂପାନି ପକ୍ଷରୁ ସମର୍ଥନ ଦିଆଯିବ। ଘଟଣାର ତଦନ୍ତ କରୁଛି। ଆମେ ସୁରକ୍ଷାକୁ ଗୁରୁତ୍ବ ଦେଉଛୁ।ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।