ଜଙ୍ଗଲରୁ ଶହଶହ ଗଛକଟା : କାଠ ଆଉ କରତ ଜବତ କଲା ବନବିଭାଗ
ନୟାଗଡ଼,୧୨l୬( ସା.ଆ.ମି ): ମହିପୁର ବନାଞ୍ଚଳ ଅଧୀନରେ ଥିବା ସଂରକ୍ଷିତ ଜଙ୍ଗଲରୁ ପ୍ରତିଦିନ ଶହଶହ କାଠ କଟା ଯାଉଥିବା ବେଳେ ବନବିଭାଗ ଟେର ପାଉନଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ସରକାର ଜଙ୍ଗଲ ମଧ୍ୟରେ ଗଛ ଲଗାଇବା ସହିତ ଜଙ୍ଗଲ ଏବଂ ବନ୍ୟଜନ୍ତୁ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମହିପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ଜନ୍ତୁ ଶିକାର ଏବଂ କାଠ ଚୋରା ଚାଲାଣ ହେଉଥିବା ବେଳେ କିଛି ମାତ୍ରାରେ କାଠ ଜବତ କରିଥିବା ବେଳେ କାଠ ମାଫିଆଙ୍କୁ ଧରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନାଥାଉକି, ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପରାଢ଼ିପି ପଞ୍ଚାୟତ କରଡାପଲ୍ଲି ଗ୍ରାମ ନିକଟରେ କାଠ କଟା ଯାଉଥିବା ଖବର ପାଇ ମହିପୁର ବନପାଳ ସୂର୍ଯ୍ୟକାନ୍ତ ମହାରଣା ପହଞ୍ଚି ୬ଟି ଶାଳ ଗଣ୍ଡି ଗୋଟିଏ ସିରିଶ ଗଣ୍ଡି ,୬ଟି ସାଇଜି ସହ କରତ ଜବତ କରିଥିବା ଜଣାପଡ଼ିଛି। ଜବତ ହୋଇଥିବା କାଠର ଆନୁମାନିକ ୪୦ ହଜାର ଟଙ୍କା ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ବନବିଭାଗ ତରଫରୁ ଏକ ମାମଲା ରୁଜୁ କରିଥିବା ସହ କାହାକୁ ଗିରଫ କରାଯାଇନଥିବା ଜଣାପଡିଛି। ଘଟଣାସ୍ଥଳରେ ବନପାଳ ମହାରଣା ସମେତ ବନରକ୍ଷୀ ରାଣୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ସାହୁ, ବିଘ୍ନେଶ ବେହେରା, ରଶ୍ମିତା ସେଠୀ , ରିନା ସେଠୀଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।