ବାହାନଗା ଟ୍ରେନ ଦୁର୍ଘଟଣା : ଷ୍ଟେସନ ମାଷ୍ଟର ସମେତ ୩ ରେଳ କର୍ମଚାରୀଙ୍କୁ ଉଠାଇନେଲା ସିବିଆଇ
ବାଲେଶ୍ବର : ବାହାନଗା ଟ୍ରେନ ଦୁର୍ଘଟଣାରେ ୩ ଜଣଙ୍କୁ ସିବିଆଇ ଉଠାଇ ନେଇଛି। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର ୩ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଜଣେ ଷ୍ଟେସନ ମାଷ୍ଟର ଓ ଜଣେ ଟେକ୍ନିସିଆନ ଓ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି। କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ୩ କର୍ମଚାରୀଙ୍କୁ ସିବିଆଇ ପଚରାଉଚରା କରୁଛି । ତେବେ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେମାନଙ୍କ ଫୋନ୍କୁ ସିବିଆଇ ସିଜ୍ କରିଥିବା ଜଣାପଡ଼ିଛି।
କାହାର ଭୁଲ ପାଇଁ ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିଲା। ନା ଏଥିରେ କିଛି ବୈଷୟିକ ତ୍ରୁଟି ରହିଛି। ଗ୍ରୀନ ସିଗନାଲ ସତ୍ତ୍ୱେ କରମଣ୍ଡଳ ଏକ୍ସପ୍ରେସ କିପରି ମାଲବାହୀ ଗାଡି ଉପରେ ଚଢିଗଲା। ଟ୍ରେନ ଲାଇନଚ୍ୟୁତ କାହିଁକି ହେଲା। ଏ ସମସ୍ତ ଦିଗକୁ ନେଇ ସିବିଆଇ ଛାନଭିନ କରୁଛି । ରେଳ ବିଭାଗ ପକ୍ଷରୁ ସିବିଆଇକୁ ତଦନ୍ତ ଦାୟିତ୍ୱ ମିଳିବା ପରେ ତନାଘନା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ସୋମବାର ସିବଆଇ ତଦନ୍ତର ଶେଷ ଦିନ। ଆଜି ସିବିଆଇ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି କେମିତି ଦୁର୍ଘଟଣା ଘଟିଲା ସେ ବିଷୟରେ ସୂଚନା ଦିଆଯିବ ।
ଦୁର୍ଘଟଣାସ୍ଥଳରେ ଫରେନସିକ ଟିମ୍ ସହାୟତାରେ ସିବିଆଇ ତଦନ୍ତ କରୁଛି। ସିବିଆଇର ୩ଟି ଟିମ୍ ଭାଗ ଭାଗ ହୋଇ ଦୁର୍ଘଟଣାସ୍ଥଳରେ ଯାଞ୍ଚ କରିବା ସହ ବିଭିନ୍ନ ମେସିନ ଏବଂ କାଗଜପତ୍ର ଯାଞ୍ଚ କରିଛି।