ବଢ଼ିବ ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ମରୁଡ଼ି
ନୂଆଦିଲ୍ଲୀ : ସାତବର୍ଷର ବ୍ୟବଧାନ ପରେ ପ୍ରଶାନ୍ତ ମହାସାଗର ଅଞ୍ଚଳକୁ (ଏଲ୍ ନିନୋ) ପ୍ରଭାବ ପ୍ରତ୍ୟାବର୍ତ୍ତନ କରୁଛି। ଏହାକୁ ନେଇ ମାତ୍ରାଧିକ ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆମେରିକାର ଜାତୀୟ ସାମୁଦ୍ରିକ ଓ ପାରିବେଶିକ ପ୍ରଶାସନ (ଏନ୍ଓଏଏ) ସତର୍କ କରାଇ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଏଲ୍ ନିନୋ ଏକ ଜଳବାୟୁ ଢାଞ୍ଚା, ଯାହା ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦୁଇରୁ ସାତବର୍ଷ ବ୍ୟବଧାନରେ ସୃଷ୍ଟି ହୋଇଥାଏ। ଏଲ୍ ନିନୋ ପ୍ରବାହ ସମୟରେ ସମୁଦ୍ର ବକ୍ଷର ଜଳରାଶିର ତାପମାତ୍ରା ଅସ୍ୱାଭାବିକ ଭାବରେ ବୃଦ୍ଧି ପାଇଥାଏ ଏବଂ ଏହା କେନ୍ଦ୍ର ଓ ପୂର୍ବ-କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ଭୂମଧ୍ୟରେଖୀୟ ଅଞ୍ଚଳକୁ ପ୍ରସାରିତ ହୋଇଥାଏ। ଏଲ୍ ନିନୋ ଦକ୍ଷିଣମୁଖୀ ପ୍ରବାହ (ଇଏନ୍ଏସ୍ଓ) ଯେତେବେଳେ ପ୍ରଭାବଶୂନ୍ୟ ସ୍ଥିତିରେ ରହିଥାଏ ସେତେବେଳେ ବାୟୁ ଭୂମଧ୍ୟରେଖୀୟ ଅଞ୍ଚଳରେ ପଶ୍ଚିମ ଆଡକୁ ପ୍ରବାହିତ ହୁଏ ଏବଂ ଦକ୍ଷିଣ ଆମେରିକା ଅଞ୍ଚଳରୁ ଗରମ ବାୟୁକୁ ଏସିଆ ଆଡକୁ ନେଇଥାଏ। ତେବେ ଏଲ୍ ନିନୋ ସମୟରେ ଏହି ବାୟୁ ଦୁର୍ବଳ ହୋଇ ପଶ୍ଚିମାଝଡ ରୂପ ନେଇପାରେ। ପଶ୍ଚିମରୁ ପୂର୍ବରୁ ବାୟୁ ପ୍ରବାହିତ ହେବାରୁ ତାହା ଉଷ୍ମ ଜଳକୁ କେନ୍ଦ୍ର ଓ ପୂର୍ବ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗରୀୟ ଆଡକୁ ଠେଲି ନେଇଥାଏ ଏବଂ ପରିଶେଷରେ ଆମେରିକା ପଶ୍ଚିମ ଉପକୂଳରେ ପହଞ୍ଚେ। ଏହିଭଳି ବର୍ଷରେ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠଭାଗ ଜଳରାଶିର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିଥାଏ।
ଏଲ୍ ନିନୋ ପ୍ରବାହରୁ ବିଶ୍ୱବ୍ୟାପୀ ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବାର ଅନେକ ଉଦାହରଣ ରହିଛି। ଏଲ୍ ନିନୋର ଶକ୍ତି ଉପରେ ବିଶ୍ୱର କୌଣସି ଭାଗରେ ମାତ୍ରାଧିକ ବୃଷ୍ଟିପାତ ଅଥବା ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହୁଥିବା ଏନ୍ଓଏଏ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ବିଜ୍ଞାନୀ ମିଚେଲ୍ ଏଲ ହ୍ୟୁରେକ୍ସ କହିଛନ୍ତି।