ଓଃ କି ତାତି ! ଆଉ ୫ଦିନ କଲବଲ କରିବ
ଭୁବନେଶ୍ବର: : ରାଜ୍ୟରେ ଆଉ ୫ଦିନ ଖରା ସାଙ୍ଗକୁ ଗୁଳୁଗୁଳି କଲବଲ କରିବ। ଆଗାମୀ ୫ ଦିନ ଯାଏଁ ପାଗର ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ୩ ରୁ ୪ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି।
ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡା,ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ ଓ କେନ୍ଦୁଝର। ଏହି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଶନିବାର ସକାଳୁ ସକାଳୁ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତି ହେଉଛି। ରାଜଧାନୀ ଭୁବନେଶ୍ୱରରରେ ସକାଳ ୫ଟା ୩୦ ସୁଦ୍ଧା ତାପମାତ୍ରା ୩୦.୨ ଡିଗ୍ରୀ ପାର କରିଛି। ଗତକାଲି ୪୫ ଡିଗ୍ରୀ ଉପରେ ୨ଟି ସହରର ତାପମାତ୍ରା ରହିଥିଲା । ରାଜ୍ୟର ୨୨ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ପାର ହୋଇଥିଲା ।