ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମ୍ବ ପଠାଇଲେ ମମତା
କୋଲ୍କାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ରାଜ୍ୟର ଜାତିଆ ଆମ୍ବ (ସବୁଠୁ ଭଲ କିସମ) ପଠାଇଛନ୍ତି। କେତେ ବର୍ଷ ହେବ ମୁଖ୍ୟମନ୍ତ୍ରୀ ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ବଙ୍ଗର ଆମ୍ବ ପଠାଇ ଆସୁଛନ୍ତି।
ଏହାଛଡ଼ା, ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ପାଖକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଏହି ଧରଣର ଆମ୍ବ ପଠାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଚିତ୍ରବିଚିତ୍ର କାଗଜରେ ଆବୃତ୍ତ ହୋଇଥିବା ପେଟିରେ ପୂରାଇ ପଠାଯାଇଥିବା ଆମ୍ବଗୁଡ଼ିକ ମଧ୍ୟରେ ରହିଛି, ହିମସାଗର, ଫଜିଲ୍, ଲଙ୍ଗ୍ରା ଏବଂ ଲକ୍ଷ୍ମଣଭୋଗ ଭଳି ଜାତିଆ ଆମ୍ବ ସବୁ। ଏହି ଆମ୍ବ ପେଟି ସବୁ ଦିନେ ଦୁଇ ଦିନ ଭିତରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଯିବ।