ରାଜସ୍ଥାନରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର
ଜୟପୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ଏବେ ରାଜସ୍ଥାନ ବିଧାନସଭା ନିର୍ବାଚନ ଉପରେ କଂଗ୍ରେସର ଫୋକସ୍ । ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକିଥିବାବେଳେ ରାଜସ୍ଥାନରେ ଗେହଲଟ ସରକାର ସୋମବାର ଦିନ ୧୪ ଲକ୍ଷ ପରିବାର ପାଇଁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ସୁବିଧା ଆରମ୍ଭ କରି ୬୦ କୋଟି ଟଙ୍କାର ସବ୍ସିଡି ଦେଇଛନ୍ତି। ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ ରାଜସ୍ଥାନରେ କଂଗ୍ରେସ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବା ସହ ଆରମ୍ଭ କରିଥିବା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଏହା ପାଇଁ ଏକ ଗେମ୍ ଚେଞ୍ଜର ହୋଇପାରେ। କଂଗ୍ରେସ ରାଜସ୍ଥାନରେ ୨୫ ବର୍ଷର ରେକର୍ଡ ଭାଙ୍ଗିପାରେ। ରାଜସ୍ଥାନରେ ଗତ ୨୫ ବର୍ଷ ମଧ୍ୟରେ କୌଣସି ବି ଦଳ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି।
କଂଗ୍ରେସ ଏହି ରେକର୍ଡ ଭାଙ୍ଗି ପୁଣିଥରେ ରାଜସ୍ଥାନରେ କ୍ଷମତାକୁ ଫେରିପାରେ। ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମେହଙ୍ଗାଇ ରାହତ ଶିବିର କ୍ୟାମ୍ପ୍ ଅଧୀନରେ ପଂଜିକୃତ ହୋଇଥିବା ଲୋକଙ୍କୁ ଗ୍ୟାସ ସିଲିଣ୍ଡରରେ ସବ୍ସିଡି ମିଳୁଛି। ହିତାଧିକାରୀଙ୍କୁ ମଧ୍ୟ କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଯୋଜନା ଅଧୀନରେ ପଂଜିକୃତ ହେବାକୁ ପଡ଼ୁଛି। ଦେଶରେ କଂଗ୍ରେସ ସବୁଠୁ କମ୍ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେଇଛି। ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି, ଆମର ଲକ୍ଷ୍ୟ ହେଉଛି ୭୬ ଲକ୍ଷ ଅଭାବୀ ପରିବାରକୁ ଏହି ସୁବିଧା ଦେବା। କଂଗ୍ରେସ ରାଜସ୍ଥାନରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦେବା ବାଦ୍ ଅନ୍ୟ କେତେକ କଲ୍ୟାଣକାରୀ ଯୋଜନା ମଧ୍ୟ ଘୋଷଣା କରିଛି। କଂଗ୍ରେସ ଚିରଂଜିବି ସ୍ବାସ୍ଥ୍ୟ ଯୋଜନା, ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ଅନ୍ୟାନ୍ୟ ଯୋଜନା ଘୋଷଣା କରିଛି।