‘ଟ୍ରେନ୍ ଦୁର୍ଘଟଣା : ମୃତକଙ୍କ ସଂଖ୍ୟା ୨୮୦ ଛୁଇଁଲାଣି’
ବାହାନଗା,3/6 : ବାଲେଶ୍ୱର ବାହାନଗାରେ ଗତ ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୦ରେ ପହଞ୍ଚିଲାଣି। ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ଅଗ୍ନିଶମ ଡିଜି ସୁଧାଂଶଉ ଷଢଙ୍ଗୀ । ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ ସେ ଏପରି କହିଛନ୍ତି।
ଗତକାଲି ରାତିରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୧୪ ଘଣ୍ଟା ପରେ ଏବେବି ଉଦ୍ଧାର କାର୍ଯ୍ୟ ଶେଷ ହୋଇନି। ଏବେ ବି ଓଡିଆରଏଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ଆର୍ମି ଘଟଣାସ୍ଥଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି।
ଏନଡିଆରଏଫ ତରଫରୁ ୬ଟି ଟିମ୍ ମୁତୟନ ହୋଇଥିବା ବେଳେ ଡଗ୍ ସ୍କ୍ୱାର୍ଡ ଓ ମେଡିକାଲ ଟିମ୍ ବି ଘଟଣାସ୍ଥଳରେ ମୁତୟନ ହୋଇଥିବା ଜଣେ ସିନିୟର କମାଣ୍ଡର ପ୍ରକାଶ କରିଛନ୍ତି। ଏଥିସହ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବଗି ତଳୁ ମୃତଦେହ ବାହାର କରିବା ପ୍ରକ୍ରିୟା ଚାଲୁ ରହିଛି ।
ଏଥିସହ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। ମାତ୍ର ବହୁ ମୃତଦେହ ଚିହ୍ନଟ ହୋଇ ପାରୁ ନଥିବାରୁ ସେଗୁଡ଼ିକୁ କାହାକୁ ହସ୍ତାନ୍ତର କରାଯାଇ ପାରୁନି। ଦୁର୍ଘଟଣାସ୍ଥଳରେ ବି ଖୁବ୍ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳୁଛି। କାହାର ହାତ ତ କାହାର ଗୋଡ଼ ଟ୍ରାକ୍ ଉପରେ ପଡ଼ି ରହିଛି।