ଥାନାରେ ରାଜା ଘର ବୋହୂ, ସୁରକ୍ଷା ମାଗି ନିରାଶ ହେଲେ

0

ବଲାଙ୍ଗିର ପଦାରେ ପଡ଼ୁଛି ବଲାଙ୍ଗିର ରାଜା ଘର କଳି। ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦକୁ ନେଇ ଥାନାରେ ପହଞ୍ଚିଲେ ବଲାଙ୍ଗିର ରାଜାଘର ବୋହୂ । ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ୍‌ ନିକଟରୁ କିନ୍ତୁ କିଛି ସହଯୋଗ ପାଇ ନ ଥିବା କହିଛନ୍ତି।

ବଲାଙ୍ଗିର ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ବଲାଙ୍ଗିର ରାଜପ୍ରସାଦ ମଧ୍ୟରେ ଥିବା ନିଜ ବ୍ୟକ୍ତିଗତ ଜିନିଷ ଆଣିବାକୁ ପୁଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଉ ନଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା ମଞ୍ଜରୀ । ମୁଁ କେବଳ ପ୍ୟାଲେସରୁ ମୋ ଜିନିଷପତ୍ର ନେବାକୁ ଡେରାଡୁନରୁ ବଲାଙ୍ଗିର ଆସିଛି। ହେଲେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ପୁଲିସ ସୁରକ୍ଷା ଦେଉ ନ ଥିବା ସେ ଅଭିଯୋଗ କରିଛନ୍ତି।

ଆଜି ଆୟୋଜିତ ଏକ ସାମ୍ବିଦିକ ସମ୍ମିଳନୀରେ ଅଦ୍ରିଜା ମଞ୍ଜରୀ କହିଛନ୍ତି, ମୋତେ ମାନସିକ ଭାବେ ବହୁତ ନିର୍ଯାତନା ଦିଆଯାଇଛି। ତେଣୁ ମୁଁ ଶାଶୁ ଘର ଛାଡ଼ି ଏବେ ବାପ ଘର ଡେରାଡୁନରେ ରହୁଛି। ସେଠାରୁ ମୁଁ କେବଳ ମୋ ଜିନିଷପତ୍ର ନେବାକୁ ବଲାଙ୍ଗିର ଆସିଥିବା ବେଳେ ପୁଲିସ୍‌ ମୋତେ କୌଣସି ସହଯୋଗ କରୁନି।

ଗତ ୨ ମାସରେ ମୋତେ ଜୀବନରୁ ମାରିବାକୁ ବହୁ ଥର ଧମକ ଦିଆଯାଇଛି। ମୋ’ ନାଁରେ ମିଥ୍ୟା ମାମଲା କରିବା ସହ ମୋତେ ବହୁ ଥର ଅପମାନିତ ବି କରାଯାଇଛି। ତେଣୁ ମୋ’ ଜୀବନ ପ୍ରତି ବିପଦ ଥିବାରୁ ମୁଁ ପୁଲିସ୍‌ ସୁରକ୍ଷା ବଳୟରେ ରାଜପ୍ରସାଦକୁ ଯାଇ ମୋ’ ଜିନିଷ ପତ୍ର ଆଣିବାକୁ ଚାହୁଁଛି। ଏଥିପାଇଁ ଆଜି ଥାନାରେ ୨ ଘଣ୍ଟା ବସିବା ପରେ ବି ପୁଲିସ୍‌ କୌଣସି ପଦକ୍ଷେପ ନେଉନି। ବଲାଙ୍ଗିର ପୁଲିସ୍‌ କହିଛି, ଡେରାଡୁନ ପୁଲିସ୍‌ ଆସି ସୁରକ୍ଷା ପ୍ରଦାନ କରୁ। ଏହି ମାମଲା ପରିଚାଳନା କରୁଥିବା ଡେରାଡୁନର ତଦନ୍ତକାରୀ ଅଧିକାରୀ ବଲାଙ୍ଗିର ଆସିବାକୁ ସେମାନେ ଅପେକ୍ଷା କରିଛନ୍ତି। ମୁଁ ଜଣେ ମହିଳା ହୋଇ ବି ପୁଲିସ୍‌ କୌଣସି ସୁରକ୍ଷା ପ୍ରଦାନ କରୁ ନ ଥିବାରୁ ନିରାଶ ହୋଇ ପଡ଼ିଥିବା କହିଛନ୍ତି ଅଦ୍ରିଜା।

ଏଥିସହ ସେ କହିଛନ୍ତି, ମୁଁ ରାଜନୀତିରେ କେବଳ ମୋ’ ସ୍ୱାମୀଙ୍କ ପାଇଁ ପାଦ ଦେଇଥିଲି। ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ମୋ’ ସ୍ୱାମୀଙ୍କ ପାଇଁ ପ୍ରଚାର ଦେଇଥିଲି। ପ୍ରଚାର ସମୟରେ ମୋତେ ବଲାଙ୍ଗିରବାସୀ ବହୁତ ଭଲ ପାଇବା ଦେଇଛନ୍ତି। ହେଲେ ଏହାପରେ ସମ୍ପର୍କରେ କାହିଁକି ଫାଟ ସୃଷ୍ଟି ହେଲା କିଛି ବି ଜାଣିନି ବୋଲି କହିଛନ୍ତି ଅଦ୍ରିଜା। ତେଣୁ ମୁଁ ଏଠାକୁ ରହିବାକୁ ଆସିନି। ମୁଁ କେବଳ ମୋ’ ଜିନିଷପତ୍ର ନେଇ ଚାଲି ଯିବାକୁ ଆସିଛି। ଉକ୍ତ ଜିନିଷପତ୍ର ଉପରେ ମୋର ସମ୍ପୂର୍ଣ୍ଣ ଅଧିକାର ଥିବା ବେଳେ ମୋତେ କିନ୍ତୁ ତାହାକୁ ନେବାକୁ ଦିଆଯାଉନି ବୋଲି କ୍ଷୋଭର ସହ ରାଜ ପରିବାରର ସାନ ବୋହୂ କହିଛନ୍ତି।

ବଳାଙ୍ଗିର ରାଜାଘର କଳି ଦୀର୍ଘ ଦିନ ହେବ ଚାଲିଥିବା ବେଳେ ଏହାର ସମାଧାନ ହେବାର ବାଟ ଫିଟୁନି। ତାଙ୍କ ଉପରେ ଶାରୀରିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣି ଅଦ୍ରିଜା ମଞ୍ଜରୀ ଡେରାଡୁନର ଏକ ଥାନାରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଏପରିକି ସ୍ୱାମୀ ଅର୍କେଶ ତାଙ୍କୁ ମାଡ଼ ମାରୁଥିବା ବେଳେ ଶ୍ୱଶୁର, ଦେଢଶୁର ଓ ବଡ଼ ଯା ମଧ୍ୟ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ ।

ମାତ୍ର ଏହାକୁ ଅର୍କେଶ ଖଣ୍ଡନ କରିବା ସହ ତାଙ୍କ ଡେରାଡୁନସ୍ଥିତ ଘରକୁ ଅଦ୍ରିଜା କବଜା କରି ରଖିଥିବା ଅଭିଯୋଗ କରିଛନ୍ତି। ଏପରିକି ଅଦ୍ରିଜାଙ୍କ ପରିବାର ଲୋକେ ତାଙ୍କୁ ଉକ୍ତ ଘରେ ପଶାଇ ଦେଉ ନ ଥିବା ବି ସେ ଡେରାଡୁନର ଏକ ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?