ବନ୍ଧା ହେଲେ ଶିକାରୀ ବାପଝିଅ
ବୌଦ୍ଧ : ବନ୍ୟ ଜୀବଜନ୍ତୁ ଶିକାରରେ ସିଦ୍ଧହସ୍ତ ବାପଝିଅ। ଶିକାର ନିମନ୍ତେ ବହୁ ସାମଗ୍ରୀ ବ୍ୟବହାର କରୁଥିଲେ, ଆଉ ଯାହା ଶିକାର କରୁଥିଲେ ତାକୁ ବିକି ମାଲେମାଲ ହେଉଥିଲେ। ହେଲେ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ଶିକାରୀ ବାପଝିଅଦ୍ୱୟ ଧରା ପଡ଼ିଛନ୍ତି । ଗିରଫ ବାପଝିଅ ଦ୍ୱୟ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ୨ ଜଣ ଗିରଫ ହୋଇଛନ୍ତି।
ଗତକାଲି କୁସଙ୍ଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ପଦ୍ମତୋଲା ବିଟ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସେହି ସମୟରେ ସେଠାରେ ରହୁଥିବା ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିଲା । ବାପ ଝିଅ ଦୁହେଁ ଏହି ଶିକାର କାର୍ଯ୍ୟରେ ସାମିଲ ଥିବାରୁ ଦୁଇ ଜଣକୁ ଗିରଫ କରାଯାଇ ଚରିଛକ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।