ଋ​ଷିକୁଲ୍ୟା ଉପର ମୁଣ୍ଡରେ ଅବିଶ୍ରାନ୍ତ ବର୍ଷା

0

ଭଞ୍ଜନଗର/ବ୍ରହ୍ମପୁର: ଭଞ୍ଜନଗର ଓ ଏହାର ଆଖପାଖ ଇଲାକାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ରାତି ଠାରୁ ଅବିଶ୍ରାନ୍ତ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ଦିନସାରା ଝିପି ଝିପି ବର୍ଷା ଲାଗି ରହିଥିବା ​ସହ ମଝିରେ ମଝିରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ନଦୀ ଓ ଜଳଭଣ୍ଡାରରେ ଜଳସ୍ତର ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ବିଶେଷ କରି ନଦୀର ଉପର ମୁଣ୍ଡରେ ଅଧିକ ବ‌ର୍ଷା ହେଉଥିବାରୁ ବହୁମାତ୍ରାରେ ବର୍ଷାଜଳ ପ୍ରବାହିତ ହେଉଛି। ସେଥିରେ ଭଞ୍ଜନଗର ଉପଖଣ୍ଡର ବଡ଼ନଦୀ, ଋ​ଷିକୁଲ୍ୟା ନଦୀରେ ଫୁଲିବାରେ ଲାଗିଛି। ଖରିଫ ଚାଷ ପାଇଁ ଗତ ୨୫ ତାରିଖରୁ ପାଣି ଛଡ଼ା ଯାଉଥିବା ବେଳେ ଏହି ବର୍ଷା ଜଳଭଣ୍ଡାର ଭର୍ତ୍ତି ହେବ‌ାରେ ମଧ୍ୟ ସହାୟକ ହୋଇଛି। ଚାଷ ପାଇଁ ଆବଶ୍ୟକ ବର୍ଷା ହୋଇନଥିବା ବେଳେ ଏଭଳି ବର୍ଷା ଜାରି ରହିଲେ ଚାଷକାର୍ଯ୍ୟ​ ପାଇଁ ବେଶ ସହାୟକ ହେବ ବୋଲି ଚାଷୀ ଆଶା ବାନ୍ଧି ବସିଛି।

ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ନଦୀ ଗୁଡ଼ିକରେ ଜଳସ୍ତର ବିପଦ ସଙ୍କେତ ଛୁଇଁ ନଥିବା ଜଣାପଡ଼ିଛି। କେବଳ ବଡ଼ନଦୀର ଗାଲେରୀ ଏବଂ ଋଷିକୁଲ୍ୟା ନଦୀର ଜାନିବିଲି ଠାରେ ଜଳସ୍ତର ସତର୍କ ସଂଙ୍କେତ ଛୁଇଁଥିବା ଜଣାପଡ଼ିଛି। ଭଞ୍ଜନଗର ଜଳସମ୍ପଦ ବନ୍ୟା ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ନଦୀ ଗାଲେରୀ ନିକଟରେ ବିପଦ ସଙ୍କେତ ୧୦୨.୧୧ ମିଟର ରହିଥିବା ବେଳେ ଏଠାରେ ସତର୍କ ସୂଚକାଙ୍କ ୧୦୧.୧୧ ମିଟର ରହିଛି। ଏଠାରେ ୧୦୧.୧୩ ମିଟରରେ ଜଳ ପ୍ରବାହିତ​ ହେଉଛି। ସେହିପରି ଋ​ଷିକୁଲ୍ୟା ଜାନିବାଲି ଠାରେ ବିପଦ ସ‌ଂକେତ ୫୩.୧୯ ମିଟର ରହିଥିବା ବେଳେ ଏଠାରେ ସର୍ତ୍ତକ ସୂଚକାଙ୍କ ୫୨.୧୯ ରହିଛି। ଏଠାରେ ଅଧିକା ମାତ୍ରାରେ ୫୨.୩୬ ମିଟରରେ ଜଳ ପ୍ରବାହିତ​ ହେଉଥିବା ରେର୍କଡ କରାଯାଇଛି। ସେହିପରି ନୂଆଗାଁ ନିକଟରେ ବିପଦ ସଙ୍କେତ ୭୦.୯୩ ମିଟର ରହିଥିବା ବେଳେ ଏଠାରେ ୬୮.୧୩ ମିଟର ରହିଛି, ମାଧବରିଡା ଠାରେ ବିପଦ ସଂକେତ ୬୦.୬୬ ମିଟର ରହିଥିବା ବେଳେ ବର୍ତ୍ତମାନ ୫୮.୯୨ ମିଟର ରହିଛି। ବଡ଼ନଦୀ ଆସିକା ଠାରେ ୩୫.୪୨ ରହିଥିବା ବେଳେ ସୂଚକାଙ୍କ ତଳେ ପାଣି ପ୍ରବାହିତ ହେଉଛି। ଲୋହରାଖଣ୍ଡି ନଦୀ ଭଞ୍ଜନଗର ଠାରେ ବିପଦ ସଂକେତ ୭୨.୩୧ ମିଟର ରହିଥିବା ବ‌େଳେ ପାଣି ୬୮.୯୫ ମିଟର ରହିଛି। ସୋରଡ଼ା ପଦ୍ମାନଦୀ ଠାରେ ବିପଦ ସଂକେତ ୯୪.୬୦ ମିଟର ରହିଥିବା ବେଳେ ୯୦.୯୦ ମିଟର ଦେଇ ପ୍ରବାହିତ ହେଉଛି। ସେହିପରି ​ସୋରଡ଼ାରେ ଋଷିକୂଲ୍ୟାର ବିପଦ ସଂକେତ ୮୧.୯୯ ମିଟର ରହିଥିବା ବେଳେ ୭୯.୭୦ ମିଟର ଜଳ ପ୍ରବାହିତ ହେଉଥିବା ଜଳସେଚନ ବିଭାଗର ରେକର୍ଡରୁ ଜଣାପଡ଼ିଛି। ବର୍ଷା ଲାଗି ରହିଲେ କିଛି ସ୍ଥାନରେ ବିପଦ ସଂଙ୍କେତ ଛୁଇଁବାର ଆଶଙ୍କା ସୃଷ୍ଟି ହୋଇଛି।

ଏଥିସହ ଭଞ୍ଜନଗର ଜଳଭଣ୍ଡାରରେ ୭୯.୬୬ ପ୍ରତିଶତ ପାଣି ରହିଥିବା ବେଳେ ସୋରଡ଼ାରେ ୫୭.୫୮ ପ୍ରତିଶତ, ଡ଼ହ ଜଳଭଣ୍ଡାରରେ ୪୯.୫୨ ଏବଂ ବାଘୁଆ ଜଳଭଣ୍ଡାରରେ ୩୨.୪୯ ପ୍ରତିଶତ ଜଳ ରହିଛି। ଏହି ଜଳଭଣ୍ଡାର ଗୁଡିକରୁ ଜଳସେଚନ ପାଇଁ ପ୍ରାୟ ସମସ୍ତ କେନାଲ୍‌ ଦେଇ ପାଣି ଛଡ଼ାଯାଉଥିବା ଜଣାପଡିଛି। ଜୁଲାଇ ମାସରେ ଗଞ୍ଜାମ ଜିଲ୍ଲା ପାଇଁ ହରାହାରି ୨୨୦.୮ ମିମି ବର୍ଷା ହୋଇଥାଏ। କିନ୍ତୁ ଗତ ଜୁଲାଇ ମାସରେ ୧୯୧.୩୩ ମିମି ବର୍ଷା ରେକର୍ଡ଼ କରାଯାଇଛି। ପାଣି ଅଭାବରୁ ଜିଲ୍ଲାର ଚାଷକାର୍ଯ୍ୟ ସମ୍ପୂର୍ଣ୍ଣରୂପେ ବାଧାପ୍ରାପ୍ତ ହୋଇଛି। ସେହିପରି ଜୁନ୍‌ ମାସରେ ଜିଲ୍ଲାରେ ହାରାହାରି ୧୬୮.୩ ମିମି ବର୍ଷା ହୋଇଥାଏ। ଏଥର ମାତ୍ର ୭୯.୫୦ ମିମି ବର୍ଷା ରେକର୍ଡ଼ କରାଯାଇଥିଲା। ଗତ ଜୁନ୍‌ ୩୧ ତାରିଖରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୦.୪୨ ମିମି ବର୍ଷା ରେକର୍ଡ଼ କରାଯାଇଥିବା ବେଳେ ୩୦ତାରିଖରେ ୦.୪୯ ଓ ୨୯ତାରିଖରେ ୦.୫ ମିମି ବର୍ଷା ରେକର୍ଡ଼ କରାଯାଇଛି। ଗତ ୧ତାରିଖରେ ଜିଲ୍ଲାରେ ହାରାହାରି ୬.୬୨ ମିମି ବର୍ଷା ରେକର୍ଡ଼ କରାଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?