ମେଳ ଖାଉନି ରିପୋର୍ଟ-ଟ୍ୟାଗ: ଚିହ୍ନଟ ହୋଇପାରୁନି ୨୯ ମୃତଦେହ
ଭୁବନେଶ୍ୱର: ବାହାନଗା କରମଣ୍ଡଳ ରେଳ ଦୁର୍ଘଟଣାକୁ ଦୁଇ ମାସ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨୯ ମୃତଦେହ ଚିହ୍ନଟ ହୋଇପାରିନି। ଏମ୍ସରେ ସଂରକ୍ଷିତ ରହିଛି ମୃତଦେହ। ପ୍ରଥମେ ଫଟୋ ଚିହ୍ନଟ ଏବଂ ପରେ ଡିଏନ୍ଏ ନମୁନା ପରୀକ୍ଷା ଉପାୟରେ ମୃତଦେହ ଚିହ୍ନଟ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉ ଥିଲେ ମଧ୍ୟ ଦୁଇମାସ ପରେ ବି ୨୯ ମୃତଦେହ ଚିହ୍ନଟ ହୋଇପାରି ନାହିଁ। ଅନ୍ୟପଟେ ରାଜଧାନୀ ଚିକିତ୍ସାଳୟ ଅଣାଯାଇଥିବା ୫ ମୃତଦେହରେ ଜିଆର୍ପି ଟ୍ୟାଗ୍ ଥିଲେ ହେଁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମେଳ ଖାଉ ନ ଥିବାରୁ ମଙ୍ଗଳବାର ବାହାନଗାରୁ ଜିଆର୍ପିର ଏକ ଦଳ ରାଜଧାନୀ ଚିକିତ୍ସାଳୟ ଆସି ଏ ବିଷୟରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରର ଏମ୍ସ ଅଧୀକ୍ଷକ ପ୍ରଫେସର ଡାକ୍ତର ଦିଲୀପ ପରିଡା କହିଛନ୍ତି, ଏଠାକୁ ଦୁଇଟି ପର୍ଯ୍ୟାୟରେ ୧୬୨ଟି ମୃତଦେହ ଆସିଥିଲା। ସେଥିମଧ୍ୟରୁ ୧୩୩ ମୃତଦେହ ଚିହ୍ନଟ କରାଯାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଚିହ୍ନଟ ହୋଇପାରି ନ ଥିବା ୮୧ ମୃତଦେହ ମଧ୍ୟରୁ ୫୨ ମୃତଦେହକୁ ପରବର୍ତ୍ତୀ ସମୟରେ ବିଭିନ୍ନ ପରୀକ୍ଷା ମାଧ୍ୟମରେ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦିଆଯାଇଛି। ଗୋଟିଏ ମୃତଦେହ ଉପରେ ଏକାଧିକ ଦାବିଦାର ଏବଂ ଅନ୍ୟାନ୍ୟ ସମସ୍ୟା କାରଣରୁ ୧୦୩ଟି ମୃତଦେହର ଡିଏନ୍ଏ ନମୁନା ପରୀକ୍ଷା ପାଇଁ ନୂଆଦିଲ୍ଲୀକୁ ପଠାଯାଇଥିଲା। ଏମ୍ସରେ ଥିବା ୨୯ଟି ଅଜ୍ଞାତ ଶବ ସଂରକ୍ଷିତ ରଖାଯାଇଛି। ଶେଷ ପର୍ଯ୍ୟାୟ ଡିଏନଏ ନମୁନା ରିପୋର୍ଟ ଗୋଟିଏ ସପ୍ତାହ ମଧ୍ୟରେ ଆସିବା ସମ୍ଭାବନା ରହିଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥିର କରିବେ।