ମୁଣ୍ଡ ନେଉଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତା

0

ଚନ୍ଦ୍ରଶେଖରପୁର: ରାଜଧାନୀର ପ୍ରମୁଖ ଜନଗହଳିପୂର୍ଣ୍ଣ ରାସ୍ତା ଜୟଦେବବିହାର-ନନ୍ଦନକାନନ ଏବେ ମରଣଯନ୍ତା ପାଲଟିଛି। ପ୍ରତିଦିନ ୫ରୁ ଅଧିକ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ବେଳେ ମୁଣ୍ଡ ବି ଗଡ଼ୁଛି। ମୋ ବସ୍‌ ଦୁର୍ଘଟଣାର ଏହି ରାସ୍ତାରେ ନିତିଦିନିଆ କଥା ହୋଇଗଲାଣି। ମୋ ବସ୍‌ ସହ କେବେ ଅଳିଆ ଗାଡ଼ି ତ ଆଉ କେବେ ଘରୋଇ ବସ୍‌ ପିଟି ହେଉଛି। କେତେବେଳେ ମୋ ବସ୍‌ ଧକ୍କାରେ ଲୋକେ ଆହତ ହେବାର ଖବର ମଧ୍ୟ ସାମ୍ନାକୁ ଆସୁଛି। ଏବେ ଏହି ରାସ୍ତା ସହରର ଦୁର୍ଘଟଣାପ୍ରବଣ ରାସ୍ତା ପାଲଟିଛି। ଚିନ୍ତାର ବିଷୟ ହେଉଛି ତ୍ରିଶୁଳିଆ ବ୍ରିଜ୍‌ ହେବା ପରେ ଏହି ରାସ୍ତା ଏବେ କଟକ-ଭୁବନେଶ୍ବର ସହର ପାଇଁ ଲାଇଫ୍‌ ଲାଇନ୍‌ ପାଲଟିଛି। ବାଟ କମ୍‌ ପଡ଼ୁଥିବାରୁ ଦ୍ବୈତନଗରୀର ଲୋକେ ଏହି ରାସ୍ତାରେ ଯିବା ଆସିବା କରିବାକୁ ପସନ୍ଦ କରୁଛନ୍ତି। ଯାହାକି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବାର ପ୍ରମୁଖ କାରଣ ପାଲଟିଛି। ୧୨ କିମି ଲମ୍ବ ଏହି ରାସ୍ତାରୁ ଭିଡ଼ ଦୂର ଲାଗି ୨୦୧୯ ସୁଦ୍ଧା ସମାନ୍ତରାଳ ରାସ୍ତା ଖୋଲିବାକୁ ୨୦୧୫ରେ ନିଷ୍ପତ୍ତି ହୋଇଥିଲା। ରାସ୍ତା କେମିତି ସଂଯୋଗ କରାଯିବ, ରାସ୍ତାର ଡିଜାଇନ୍‌ କିଭଳି ହେବ, ରାସ୍ତାପାର୍ଶ୍ବରେ କେଉଁ ସବୁ ବ୍ୟବସ୍ଥା ରହିବ, ଏସବୁ ସ୍ଥିର ହୋଇଥିଲା। କିନ୍ତୁ କାର୍ଯ୍ୟ ଆଗେଇ ପାରିନାହିଁ। ସବୁ କିଛି ଏବେ ଅଧାପନ୍ତରିଆ। କେଉଁଠି ଜବରଦଖଲ ସମସ୍ୟା ସୃଷ୍ଟି କରୁଛି ତ ଆଉ କେଉଁଠି ଜଙ୍ଗଲ ଜମି ବାଟ ଓଗାଳିଛି। ଫଳରେ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ପରି ସମାନ୍ତରାଳ ରାସ୍ତାର ଭାଗ୍ୟ ଏବେ ବି ଘୁଞ୍ଚି ଚାଲିଛି। ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ଜାଭିୟର ଛକ ପର୍ଯ୍ୟନ୍ତ ଖୋଲିଥିବାରୁ ଲୋକଙ୍କ ଯିବା ଆସିବା ସୁଗମ ହେଉଛି। ତା‌’‌ସତ୍ତ୍ବେ ମଧ୍ୟ ଏହି ଜନଗହଳିପୂର୍ଣ୍ଣ ରାସ୍ତାରୁ ଭିଡ଼ କମୁ ନାହିଁ କି ଦୁର୍ଘଟଣା ହ୍ରାସ ପାଉନି। ଯଦି ‌ଦେଖିବା ଗତ ୭ ମାସରେ ଏହି ରାସ୍ତାରେ ବଡ଼ଧରଣର ୬୩ଟି ଦୁର୍ଘଟଣା ହୋଇଛି। ଯେଉଁଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।ଲଗାତାର ୫ ବର୍ଷ ହେଲା ଏକାଧିକ ମୁଣ୍ତ ନେଇଛି ଏହି ରାସ୍ତା। ୨୦୧୯ ଜୁନ୍‌ରୁ ୨୦୨୦ ମାର୍ଚ୍ଚ ମଧ୍ୟରେ ଏହି ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ୯ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨୯ଜଣ ଆହତ ହୋଇଥିଲେ। ପରବର୍ତ୍ତୀ ଦୁଇ ବର୍ଷ କରୋନା ଯୋଗୁଁ ସଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ହେବା ଦ୍ବାରା ଦୁର୍ଘଟଣା ହ୍ରାସ ପାଇବା ସହ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା। ତେବେ ୨୦୨୨ରେ ଦୁର୍ଘଟଣା ପୁଣିଥରେ ବଢ଼ିବା ସହ ପ୍ରାୟ ୭ଜଣଙ୍କ ଜୀବନ ଯାଇଥିଲା। ୨୦୨୩ର ପ୍ରଥମ ୭ ମାସରେ ୪ଜଣଙ୍କ ଜୀବନ ଯିବା ଏବେ ଚିନ୍ତାର କାରଣ ପାଲଟିଛି। ଏହି ରାସ୍ତାରେ ବାରମ୍ବାର ଘଟୁଥିବା ଦୁର୍ଘଟଣାରେ ରୋକ୍‌ ଲଗାଇବା ଦିଗରେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇ ନଥିବା ବେଳେ ଦୁଇ ବର୍ଷ ହେଲା ପୁଣି ମୁଣ୍ଡ ଗଡ଼ି ଚାଲିଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?