ଅଘୋଷିତ ବିଦ୍ୟୁତ କାଟ୍ ନେଇ ଅସନ୍ତୋଷ
ଢେଙ୍କାନାଳ : ଅଘୋଷିତ ବିଦ୍ୟୁତ କାଟ୍ ଓ ଲୋ- ଭୋଲଟେଜ ସମସ୍ୟା ପ୍ରତିବାଦରେ ସୋମବାର ସକାଳ ଦଶଟାରେ ଢେଙ୍କାନାଳ ସହର ଉପକଣ୍ଠଠାରେ ରହିଥିବା ଟାଟା ପାୱାର କାର୍ଯ୍ୟାଳୟ ଜିଲ୍ଲା ବିଜେପି ପକ୍ଷରୁ ଘେରାଉ କରାଯାଇଛି l ଗତ ୨ ଦିନ ତଳେ କାଳବୈଶାଖୀ ଯୋଗୁଁ ସହର ଏବଂ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବାରୁ ବିଦ୍ୟୁତ କାଟ୍ ହୋଇଥିଲା l ଏହାର ୪୮ ଘଣ୍ଟା ପରେ ବି ବିଦ୍ୟୁତ ବ୍ୟବସ୍ଥା ସ୍ଵାଭାବିକ ହୋଇନାହିଁ l ଏଥିସହ ଜିଲ୍ଲା ଏବଂ ସହରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହୁଥିବା ବେଳେ କୌଣସି ବର୍ଷା ପବନ ନଥାଇ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳି ସହରବାସୀଙ୍କୁ ଅତିଷ୍ଠ କରିଛି l ଇଲେକ୍ଟ୍ରି ବିଲ ନେବା ବେଳେ କମ୍ପାନୀ ତରଫରୁ ଅବହେଳା ହେଉ ନଥିବା ବେଳେ ବିଦ୍ୟୁତ ଅବ୍ୟବସ୍ଥା ହେଲେ ଉପଭୋକ୍ତାମାନେ ଫୋନ କଲେ ଫୋନ ଉଠାଉ ନାହାନ୍ତି ।
ବିଦ୍ୟୁତ ସେବା ପ୍ରଦାନରେ ଟାଟା ପାୱାର ସଂପୂର୍ଣ୍ଣ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି ବୋଲି ବିଜେପି ନେତୃବନ୍ଦ କହିଥିଲେ l ବରିଷ୍ଠ ବିଜେପି ନେତା ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାମଚନ୍ଦ୍ର ପାତ୍ର, ବିଜେପି ଜିଲ୍ଲା ସଭାପତି ନରେଶ ମହାପାତ୍ର, ନବ କିଶୋର ଗୁରୁ ଓ ସୁନୀଲ ଶର୍ମାଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଘେରାଉରେ ସାମିଲ ହୋଇଥିଲେ l ଜିଲ୍ଲା ଓ ସହରବାସୀ ବିଦ୍ୟୁତ କାଟ୍ ରେ ଅତିଷ୍ଠ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିରେ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ଦଳୀୟ ନେତୃବନ୍ଦ କହିଥିଲେ l ସମସ୍ୟା ସମାଧାନ ନହେଲେ ଏବଂ ଟାଟା ପାୱାର କାର୍ଯ୍ୟାଳୟକୁ ତାଲା ପକାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ସ୍ୱରୂପ ଅଫିସକୁ ତାଲା ପକାଇ ଦେଇଥିଲେ, ଯାହାଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲେ l ପରେ TPCDOL ର ଏକଜୁଟିଭ ଇଞ୍ଜିନିୟର ବେଣୁଧର ଦାସ ପହଞ୍ଚି ବିଜେପି ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ଏହାର ସମାଧାନ ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l