ପୂର୍ବତନ ଯୋଗାଣ ଅଧିକାରୀ ଗିରଫ
ଭୁବନେଶ୍ୱର: ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କର ଆୟଠାରୁ ୨୬୮% ଅଧିକ ସଂପତ୍ତି ଠାବ କରିବା ପରେ ଭିଜିଲାନ୍ସ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଟିମ୍ ବ୍ରଜେନ୍ଦ୍ରଙ୍କ ୫ଟି ସ୍ଥାନରେ ଚଢଉ କରିଥିଲେ। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଥିଲା । ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ ଥିବା ପ୍ଲଟ ନଂ ୩୮୪ ଓ ୩୮୫, ପୁରୀ ଜିଲ୍ଲା ନିମାପଡ଼ାର ସୁନୁଗରଡ଼ି ଗାଁରେ ଥିବା ପୈତୃକ ଘର ଓ ଫାର୍ମହାଉସରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା। ଏହି ଚଢଉ ବେଳେ ବ୍ରଜେନ୍ଦ୍ର ନାୟକଙ୍କର ଭୁବନେଶ୍ୱରରେ ୫ଟି ବଡ଼ କୋଠା, ନିମାପଡ଼ାରେ ଫାର୍ମ ହାଉସ, ନିମାପଡ଼ାରେ ୧୦ଟି ଦୋକାନ ଘର ଥିବା ମାର୍କେଟ କଂପ୍ଲେକ୍ସ, ୭ଟି ପ୍ଲଟ, ଦେଢ଼ କୋଟି ଟଙ୍କାର ଜମା ଓ ଦାମୀ କାର୍ ଠାବ ହୋଇଥିଲା ।
ଓଡ଼ିଶା ଭିଜିଲାନ୍ସର ୨ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଚଢଉ କରାଯାଇଥିଲା । ଭୁବନେଶ୍ୱର ସ୍ୱତନ୍ତ୍ର ଜଜ୍, ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ଚଢଉ କରାଯାଇଥିଲା।