ସୁଭଦ୍ରାଙ୍କ ଦର୍ପଦଳନ ରଥର ଅଖରେ ଫାଟ
ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ମଝିରେ ଆଉ ୨ ଦିନ ଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଅଖରେ ଫାଟ ଦେଖିବାକୁ ମିଳିଛି । ରଥର ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି। ଫାଟକୁ ଲୁଚେଇବା ପାଇଁ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି । ତଥାପି ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ତେଣୁ କୌଣସି ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ତେବେ ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।
ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କହିଛନ୍ତି, ଉଛୁଳା ଅଖରେ ଫାଟ ସ୍ପଷ୍ଟ ଦେଖାଯାଉଛି। ଏବେ ବି ସମୟ ଅଛି। ଏହାକୁ ସୁଧାରିବାକୁ ପଦକ୍ଷେପ ନିଆଯାଉ। ନହେଲେ ଅଘଟଣ ଘଟିପାରେ। ସେଥିପାଇଁ ଜିଲ୍ଲା ପ୍ରଶାସନ ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ। ନହେଲେ କୌଣସି ଅଘଟଣ ପାଇଁ ସେମାନେ ହିଁ ଦାୟୀ ରହିବେ।