ନିଟ୍‌-ୟୁଜି ୨୦୨୩ ପରୀକ୍ଷାଫଳ : ସ୍ୱୟଂଶକ୍ତି ଓଡ଼ିଶା ଟପର୍‌

0

ଭୁବନେଶ୍ବର: ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)-ୟୁଜି ପରୀକ୍ଷାଫଳ ପ୍ରକାଶ ପାଇଛି। ଦେଶର ଶ୍ରେଷ୍ଠ ୫୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ ଛାତ୍ର ରହିଛନ୍ତି। ଭୁବନେଶ୍ବସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଛାତ୍ର ସ୍ୱୟଂଶକ୍ତି ତ୍ରିପାଠୀ ସର୍ବଭାରତୀୟ ସ୍ତରରେ ଅଷ୍ଟମ ରୢାଙ୍କ୍‌ ହାସଲ କରିବା ସହ ଓଡ଼ିଶା ଟପର୍‌ ହୋଇଛନ୍ତି। ସେ ୯୯.୯୯୯୦୬୮ ପର୍ସେଣ୍ଟାଇଲ୍ ସହ ୭୨୦ରୁ ୭୧୫ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଉକ୍ତ ବିଦ୍ୟାଳୟର ଛାତ୍ର ସୂର୍ଯ୍ୟପ୍ରତାପ ମିଶ୍ର ୭୧୦ ନମ୍ବର ସହ ୯୯.୯୯୬୨୭୧୯ ପର୍ସେଣ୍ଟାଇଲ୍ ରଖି ୩୫ତମ ରୢାଙ୍କ୍‌ରେ ଅଛନ୍ତି। ଛାତ୍ରୀ ବର୍ଗରେ ଦେଶର ୨୦ ଜଣଙ୍କ ମଧ୍ୟରେ ଓଡ଼ିଶାର ଅଭିପ୍ସା ଚୌଧୁରୀ ୧୬ତମ ସ୍ଥାନରେ ରହିଛନ୍ତି। ସାଇ ଇଣ୍ଟରନେସନାଲ୍‌ର ଏହି ଛାତ୍ରୀ ସର୍ବଭାରତୀୟ ସ୍ତରରେ ୬୩ତମ ରୢାଙ୍କ ହାସଲ କରିଛନ୍ତି। ଏମାନଙ୍କ ବ୍ୟତୀତ ପର୍ସନ୍ସ ଉଇଥ୍‌ ବେଞ୍ଚ୍‌ମାର୍କ ଡିଜାବିଲିଟିଜ୍‌(ପିଡବ୍ଲୁବିଡି) ବର୍ଗରେ ଦେଶର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ(୪ର୍ଥ ସ୍ଥାନରେ ରୁଦ୍ର ନାରାୟଣ ସାହୁ ଓ ୫ମରେ ତିଲକ୍‌ ଅଗ୍ରୱାଲ) ସ୍ଥାନ ପାଇଥିବା ଏନ୍‌ଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି।

ଚଳିତ ବର୍ଷ ବିଦେଶର ୧୪ଟି ସହର ସମେତ ଦେଶର ୪୯୯ ସହରର ୪୦୯୭ କେନ୍ଦ୍ରରେ ୨୦ ଲକ୍ଷ ୮୭ ହଜାର ୪୬୨ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ୩୮ହଜାର ୫୯୬ଜଣ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୧ଲକ୍ଷ ୪୫ ହଜାର ୯୭୬ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଛନ୍ତି। ତାମିଲନାଡ଼ୁର ପ୍ରଭଞ୍ଜନ ଜେ ଓ ଆନ୍ଧ୍ରପ୍ରଦେଶର ବୋରାବରୁଣ ଚକ୍ରବର୍ତ୍ତୀ ୭୨୦ ମାର୍କ ରଖି ଯୁଗ୍ମ ଭାବେ ଏକ ନମ୍ବର ରୢାଙ୍କ୍‌ ହାସଲ କରିଛନ୍ତି। ଏହି ପରୀକ୍ଷା ପାଇଁ ଓଡ଼ିଶାରୁ ୫୭ହଜାର ୯୨ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫୫ହଜାର ୮୬୬ଜଣ ପରୀକ୍ଷା ଦେଇଥିଲେ ଏବଂ ୨୮ ହଜାର ୩୩୦ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ତୁଳନାରେ ଏଥର ପ୍ରାୟ ୨୦ ହଜାର ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥି‌ଲେ।

ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ସମେତ ମୋଟ ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସେଥିମଧ୍ୟରୁ ଓଡ଼ିଆ ଭାଷାରେ ପରୀକ୍ଷା ଦେବା ଲାଗି ମାତ୍ର ୯୮୮ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ, ଯାହାକି ୨୦୨୨ ତୁଳନାରେ ସାମାନ୍ୟ ଅଧିକ। ଗତ ୫ବର୍ଷ ତଥ୍ୟକୁ ଦେଖିଲେ ୨୦୧୯ରେ ସର୍ବାଧିକ ୩୧ ହଜାର ୪୯୦ଜଣ ଓଡ଼ିଆ ଭାଷାରେ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ବେଳେ ୨୦୨୦ରେ ୮୨୨, ୨୦୨୧ରେ ୧୦୧୬, ୨୦୨୨ରେ ୮୨୨ଜଣ ପଞ୍ଜୀକରଣ କରିଥିଲେ। ପଞ୍ଜାବୀ, କନ୍ନଡ, ପରେ ଓଡ଼ିଆ ତୃତୀୟ ଭାଷା ଯେଉଁଥିରେ କମ୍‌ ସଂଖ୍ୟକ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେବାକୁ ପସନ୍ଦ କରିଛନ୍ତି। ଇଂରାଜୀ ଭାଷାରେ ସର୍ବାଧିକ ୧୬ ଲକ୍ଷ ୭୨ ହଜାର ୯୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ବେଳେ ହିନ୍ଦୀ ଭାଷାରେ ୨ ଲକ୍ଷ ୭୬ହଜାର ୧୮୦ଜଣ ପରୀକ୍ଷା ଦେବାକୁ ପସନ୍ଦ କରିଥିଲେ।

ପରୀକ୍ଷାଫଳ ପ୍ରକାଶ ପାଇଥିବାରୁ ଏବେ କାଉନ୍‌ସେଲିଂ ଉପରେ ଗୁରୁତ୍ବ ଦିଆଯାଉଛି। ଦେଶର ୧୫% ସର୍ବଭାରତୀୟ କୋଟା ସିଟ୍‌ ସମେତ ଡିମ୍‌ଡ ବିଶ୍ବବିଦ୍ୟାଳୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଇଏସ୍‌ଆଇସି ସିଟ୍‌, ଏଏଫ୍‌ଏମ୍‌ସି, ବିଏଚ୍‌ୟୁ ଓ ଏଏମ୍‌ୟୁ ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସେବା ମହାନିର୍ଦେଶାଳୟ(ଡିଜିଏଚ୍‌ଏସ୍‌) ପକ୍ଷରୁ କାଉନ‌୍‌ସେଲିଂ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀ www.mcc.nic.in ୱେବ୍‌ସାଇଟ୍‌ରେ ଏନେଇ ଅଧିକ ତଥ୍ୟ ଜାଣିପାରିବେ। ରାଜ୍ୟଗୁଡ଼ିକରେ ଥିବା ମେଡିକାଲ କଲେଜର ସିଟ୍‌ ଲାଗି ସମ୍ପୃକ୍ତ ରାଜ୍ୟ ସରକାର କାଉନ୍‌ସେଲିଂ କରିବେ। ତେଣୁ ଛାତ୍ରଛାତ୍ରୀ ନିୟମିତ ଭାବେ ୱେବ୍‌ସାଇଟ୍‌ଗୁଡ଼ିକୁ ଯାଞ୍ଚ କରିବାକୁ ଏନ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?