ଅସହ୍ୟ ତାତି ପାଇଁ ଟ୍ୱିନ୍ ସିଟିକୁ ଆଲର୍ଟ ଜାରି
ଭୁବନେଶ୍ୱର : ସାରା ରାଜ୍ୟରେ ଅନୁଭବ ହେଉଛି ପ୍ରଚଣ୍ଡ ଖରା। ଅଧିକାଂଶ ସ୍ଥାନ ସହ ରାଜଧାନୀରେ ଅସହ୍ୟ ତାତି ଜାରି ରହିଛି। ଅସହ୍ୟ ତାତି ପାଇଁ ଆଜି କଟକ ଓ ଭୁବନେଶ୍ୱରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ସ୍ୱଭାବିକ ତୁଳନାରେ ୬.୫ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ତାପମାତ୍ରା ରହିବ। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟ୍ୱିଟ କରି ସତର୍କ କରାଇଛି।
ତତଲା କଡେଇରେ ଭାଜି ହେଉଛି ରାଜଧାନୀ। ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆଦ୍ରତା ୪୩% ଥିବାରୁ ଅନୁଭବ ହେଉଛି ଅସହ୍ୟ ଗୁଳୁଗୁଳି। ସେହିପରି ପଶ୍ଚିମ ଓଡିଶାରେ ମଧ୍ୟ ଅସହ୍ୟ ତାତି। ସାଢେ ୧୧ଟା ସୁଦ୍ଧା ସମ୍ବଲପୁରର ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୧.୮ ଓ ହୀରାକୁଦ ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ସକାଳ ସାଢେ ୮ଟାରୁ ଅସମ୍ଭାଳ ତାତି ଅନୁଭବ ହୋଇଛି। ଉପକୂଳରୁ ପଶ୍ଚିମ ଚାରି ଆଡେ ତାତି ପାଇଁ ସଭିଏଁ ହନ୍ତସନ୍ତ ହେଉଛନ୍ତି।
ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୭.୨ ଡିଗ୍ରୀ ରହିଥିବା ବେଳେ ସମ୍ବଲପୁର ୩୬.୬, ହୀରାକୁଦ ୩୫.୪, ଭୁବନେଶ୍ୱର ୩୫ ଡିଗ୍ରୀ, କେନ୍ଦୁଝର ୩୫, ପୁରୀ ୩୪.୬, ବାଲେଶ୍ୱର ୩୪.୨, ଚାନ୍ଦବାଲି ୩୪, ପାରାଦ୍ୱୀପ ଓ ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି।