ତାଣ୍ଡବ ରଚିଲା କାଳବୈଶାଖୀ
ଭୁବନେଶ୍ବର: ରାଜଧାନୀରେ ଗୁରୁବାର ଅପରାହ୍ଣ ସାଢ଼େ ୪ଟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରାୟ ଅଧ ଘଣ୍ଟା ଯାଏଁ ପବନର ବେଗ ଲୋକଙ୍କୁ ଡ଼ରାଇଛି। ବିଶେଷ ଭାବେ ରାସ୍ତାରେ ଯିବାଆସିବା କରୁଥିବା ଲୋକେ କାଳବୈଶାଖୀ ପବନକୁ ଡରି ଯାଇ ବାଧ୍ୟ ହୋଇ ନିରାପଦ ଆଶ୍ରୟ ସ୍ଥଳ ଖୋଜିଛନ୍ତି। କିଛି ସ୍ଥାନରେ ଗଛର ଡାଳଗୁଡ଼ିକ ପଡ଼ି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି।
ଭୁବନେଶ୍ବରରେ ପ୍ରବଳ ଘଡ଼ଘଡ଼ି ସହ କିଛି ପରିମାଣରେ ବର୍ଷା ହୋଇଛି। ଏହି ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ଧୂଳିଝଡ଼ ମଧ୍ୟ ଦେଖିବାକୁ ମିଳିଛି। ତେବେ ପ୍ରବଳ ଖରାରେ ସିଝିଥିବା ରାଜଧାନୀବାସୀଙ୍କୁ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଲୋକେ ତ୍ରାହିପାଇଛନ୍ତି।
ଅଚାନକ୍ ଠପ୍ ହୋଇଗଲା ସ୍ୱାଭାବିକ୍ ଜୀବନଯାତ୍ରା । ବଡ଼ ବଡ଼ ଡାଳ ଭାଙ୍ଗିପଡ଼ିବାରୁ ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହୋଇଥିଲା । ଭୁବନେଶ୍ୱରର ରାଜମହଲ-ଏଜି ରାସ୍ତାରେ ଅନେକ ଗଛ ପଡ଼ିଥିବା ଦେଖିବାକୁ ମିଳିଥିଲା ।