୩୦ଟି ୨ ହଜାର ଟଙ୍କିଆ ନୋଟ୍ ଜବତ, ଜଣେ ଗିରଫ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଯାଇ ପୁଲିସ ହାବୁଡ଼ରେ ଜଣେ ଯୁବକ ଧରାପଡିଛନ୍ତି। ପୁଲିସ ଟଙ୍କା ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି। ସୂଚନା ଅନୁଯାୟୀ, ମାଓବାଦୀଙ୍କ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଜଣେ ବ୍ୟକ୍ତି ଆୱାପାଲ୍ଲୀ ଗ୍ରାମ ଅଭିମୁଖେ ଯାଉଥିବା ପୁଲିସ ଖବର ପାଇଥିଲା। ବାସାଗୁଡା ଥାନାର ପୁଲିସ ଫୋର୍ସ ଓ ସିଆରପିଏଫ୍ ୧୬୮ ବାଟାଲିଆନ୍ ଯବାନମାନେ ହିରାପୁର ଗ୍ରାମ ନିକଟରେ ଗାଡ଼ି ଯାଞ୍ଚ ଆରମ୍ଭ କରିଦେଇଥିଲେ। ବାଇକରେ ଆସୁଥିବା ଯୁବକକୁ ଅଟକାଇ ପଚାରିବାରୁ ସେ ନିଜର ପରିଚୟ ନାଗୁଲ ସତ୍ୟନାରାୟଣ ବୋଲି କହିଥିଲେ। ସତ୍ୟନାରାୟଣ ଧରିଥିବା ବ୍ୟାଗକୁ ଯାଞ୍ଚ କରିବା ବେଳେ ସେଥିରୁ ୩୦ଟି ୨ହଜାର ଟଙ୍କା (୬୦ ହଜାର ଟଙ୍କା), ଦୁଇଟି ପାସବୁକ୍ ଓ ମାଓବାଦୀ ପୋଷ୍ଟର ରହିଥିଲା। ପୁଲିସ ସତ୍ୟନାରାୟଣକୁ ଗିରଫ କରିବା ସହ ତାଠାରୁ ବାଇକ, ଟଙ୍କା ଓ ଅନ୍ୟାନ ସାମଗ୍ରୀକୁ ଜବତ କରିଛି।