କୁଆଖାଇରୁ ନିଖୋଜ ଦୁଇସାଙ୍ଗଙ୍କ ମୃତଦେହ ଉଦ୍ଧାର
ବାଲିଅନ୍ତା : ଗତକାଲି ଅପରାହ୍ଣରେ ୪ ଜଣ ଛାତ୍ର କୁଆଖାଇ ନଦୀରେ ବୁଡ଼ିଯାଇଥିଲେ I ବାଲିଅନ୍ତା ଥାନା ନିକଟ ବଇଁଚୁଆ ଧବଳାହାର ନିକଟରେ ଘଟିଥିଲା ଏଭଳି ଅଘଟଣ। ୨ ଛାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳାବାହିନୀ ଉଦ୍ଧାର କରିଛି | ଗତକାଲି ଝାଡ଼ଖଣ୍ଡ ଜାମ୍ସେଦପୁରର ଆରିଆନ୍ ମିଶ୍ର(୨୫) ଓ କଟକର କୁମାର ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନଦୀପଠାରେ ଭୋଜି ସାରି ଗାଧୋଉଥିବା ବେଳେ ଘଟିଥିବା ଏହି ଦୁର୍ଘଟଣାରୁ ଜଣେ ଛାତ୍ର ସୌଭାଗ୍ୟବଶତଃ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଅଟଳାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ୯ ଜଣ ଛାତ୍ର ଧବଳାହାର ନିକଟସ୍ଥ ନଦୀପଠା ଜଙ୍ଗଲ ଭିତରେ ଗତକାଲି ଭୋଜି କରୁଥିଲେ।
ଭୋଜି ସରିବା ପରେ ୪ ଛାତ୍ର କଲେଜକୁ ଫେରିଯାଇଥିଲେ। ସମୟ ଅପରାହ୍ଣ ୫ଟା ହୋଇସାରିଥିଲେ ବି ଅନ୍ୟ ପାଞ୍ଚ ଜଣ କୁଆଖାଇ ନଦୀରେ ଗାଧୋଇବାକୁ ରହିଯାଇଥିଲେ। ଅସାବଧାନତାବଶତଃ ସେମାନେ ଆଗପଛ ହୋଇ ଗଭୀର ଜଳକୁ ଚାଲିଯାଇଥିଲେ ଏବଂ ଗଣ୍ଡରେ ପଡ଼ିଯାଇଥିଲେ। ଭଲରେ ପହଁରା ଜାଣିନଥିବାରୁ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ। ସେମାନେ ବୁଡ଼ିଯାଉଥିବା ଦେଖି ଜଣେ ଛାତ୍ର ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲେ। ସେତେବେଳେ ନଦୀରେ ମାଛ ଧରୁଥିବା କିଛି ଲୋକ ଧାଇଁ ଆସି ଖୋଜାଖୋଜି କରିଥିଲେ ଏବଂ ଦୁଇ ଛାତ୍ରଙ୍କୁ ପାଣିରୁ ଟେକି ଆଣିଥିଲେ। ମାତ୍ର ସେତେବେଳକୁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଆଜି ସକାଳୁ ଦମକଳ ବାହିନୀ ଦୁଇ ଛାତ୍ରଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ |