କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତା ବାଘର ମୃତ୍ୟୁ ଘଟିଛି। ତା’ ନାଁ ତେଜସ। ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଗତ ୫ ମାସରେ ୭ଟି ଚିତାର ମୃତ୍ୟୁ ଘଟିଛି। ତେଜସ ପୂର୍ବରୁ ୩ଟି ଚିତା ବାଘ ଓ ୩ଟି ଚିତା ଶାବକଙ୍କର ମୃତ୍ୟୁ ଘଟିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୧ଟା ବେଳେ ମନିଟରିଂ ଟିମ୍ ତେଜସର ବେକର ଉପର ପାର୍ଶ୍ୱରେ କ୍ଷତ ଚିହ୍ନ ଦେଖିଥିଲେ। ସେମାନେ ତୁରନ୍ତ ଏ ସଂପର୍କରେ ପ୍ରାଣୀଧନ ଚିକିତ୍ସକଙ୍କୁ ସୂଚନା ଦେଇଥିଲେ। ସେମାନେ ପହଞ୍ଚି ତେଜସକୁ ଯାଞ୍ଚ କରିଥିଲେ। ତା’ ବେକରେ ଲାଗିଥିବା କ୍ଷତ ବେଶ୍ ଗଭୀର ଥିଲା। ସେମାନେ ବାଘଟିର ଚିକିତ୍ସା କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅପରାହ୍ନ ପ୍ରାୟ ୨ଟା ବେଳେ ଚିତା ବାଘଟିର ମୃତ୍ୟୁ ହୋଇଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ତେଜସର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରାଣୀଧନ ଚିକିତ୍ସକମାନେ କହିଛନ୍ତି। ତେବେ ତା’ ଦେହରେ କ୍ଷତ କେମିତି ହେଲା, ସେ ନେଇ ତଦନ୍ତ ଜାରି ରହିଛି।