ଆନ୍ଧ୍ର ଚାଷୀଙ୍କ କବ୍‌ଜାରେ ହଜାର ହଜାର ଏକର ଚାଷ ଜମି

0

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ‌ଏକର ଚାଷଜମି ଏବେ ଆନ୍ଧ୍ରଚାଷୀଙ୍କ କବ୍‌ଜାରେ ରହିଛି। ଜିଲ୍ଲାର ବିନିକା ଓ ଡୁଙ୍ଗୁରିପାଲି ବ୍ଲକ୍‌ରେ ଆନ୍ଧ୍ରଚାଷୀମାନେ ଧାନଚାଷ କରୁଥିବା ବେଳେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକ୍‌ରେ ଧାନ, କପା ଓ ମାଛଚାଷ କରୁଥିବା ଜଣାଯାଇଛି। ଆନ୍ଧ୍ରଚାଷୀମାନେ ଏଠାକୁ ଆସି ତାଙ୍କର କାୟା ବିସ୍ତାର କରିଚାଲିଛନ୍ତି। ଜିଲ୍ଲାର ଚାଷୀମାନଙ୍କ ଆବଶ୍ୟକ ଜ୍ଞାନକୌଶଳ ଅଭାବରୁ ଚାଷରେ ବିଭିନ୍ନ ସମୟରେ କ୍ଷତି ସହୁଛନ୍ତି। ଏହାର ଫାଇ‌ଦ‌ା ନେଇଛନ୍ତି ଆନ୍ଧ୍ରଚାଷୀ। ଏହାର ସୁଯୋଗ ନେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ରାଜମହେନ୍ଦ୍ରୀ, ପାର୍ବତୀପୁରମ, ଶିକାକୁଲମ ଓ ପୂର୍ବ ଗୋଦାବରୀ ଆଦି ଦୂରସ୍ଥାନରୁ ଆନ୍ଧ୍ରଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲାକୁ ଆସି ଚାଷଜମି କ୍ରୟ କରୁଛନ୍ତି। ଜିଲ୍ଲାର ଗରିବ ଚାଷୀଙ୍କଠାରୁ ଆନ୍ଧ୍ରଚାଷୀ କମ୍‌ ମୂଲ୍ୟରେ ଚାଷ ଜମିଗୁଡ଼ିକ କ୍ରୟ କରୁଥିବା ଅଭିଯୋଗ ହେଉଛି।

ଆନ୍ଧ୍ରପ୍ରଦେଶର ଲୋକେ ଏଠାକୁ ଆସି ପ୍ରଥମେ ଲୋକଙ୍କ ସହ ମିଳାମିଶା କରି ପରେ ଜମି ଦଲାଲ ଓ ମଧ୍ୟସ୍ଥିଙ୍କ ଜରିଆରେ ଜମି କ୍ରୟ କରୁଛନ୍ତି। ଜିଲ୍ଲାର ଅନେକ କ୍ଷୁଦ୍ରଚାଷୀ ସେମାନଙ୍କର ପୈତୃକ ସମ୍ପତ୍ତିକୁ କମ୍‌ ମୂଲ୍ୟରେ ବିକ୍ରି କରିସାରିଛନ୍ତି। ଡୁଙ୍ଗୁରିପାଲି, ବିନିକା, ତରଭା, ସୋନପୁର, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ୍‌ର ପ୍ରାୟ ପଚାଶରୁ ଅଧିକ ଗାଁରେ କିଛି ବର୍ଷ ହେବ ଆନ୍ଧ୍ରଚାଷୀମାନେ ହଜାର ହଜାର ଚାଷଜମି କ୍ରୟ କରି ଦଖଲ କରିସାରିଲେଣି। କେତେକ ଗ୍ରାମରେ ସେମାନେ ସରକାରୀ ଜମି, ଗୋଚର ଜମି, ଜଙ୍ଗଲ ଜମିକୁ ମଧ୍ୟ ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏପରିକି ଗ୍ରାମାଞ୍ଚଳରେ ଆନ୍ଧ୍ରପଡ଼ା, ଆନ୍ଧ୍ରଡେରା, ଆନ୍ଧ୍ର କଲୋନି ମଧ୍ୟ ଦେଖିବାକୁ ମିଳୁଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?