୧୧ରୁ ବଢ଼ିବ ବର୍ଷା
ଭୁବନେଶ୍ବର : ରବିବାର ଦିନ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଯାଇଛି । ସୋମବାର ଦିନ ମଧ୍ୟ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଓ ଦେବଗଡ଼ ଆଦି ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମୌସୁମୀଜନିତ ନିମ୍ନ ଚାପରେଖା ଆଜି ରାଜସ୍ଥାନର ଜୈସାଲମେର୍ରୁ ବାହାରି, ଆଜ୍ମେର୍, ଶିବପୁରୀ, ସିଦ୍ଧି, ଡାଲ୍ଟନ୍ଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବ-ଦିଗରେ ମଣିପୁର ଯାଏ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେଉଛି । ୧୧ ତାରିଖ ଦିନ ବର୍ଷାର ବିସ୍ତୃତି ବଢ଼ିବ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ମୌସୁମୀ ଋତୁରେ ୧ ଜୁନ୍ରୁ ଆଜି ୯ ଜୁଲାଇ ମଧ୍ୟରେ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫% କମ୍ । ଏହି ସମୟ ପରିଧି ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୯୨.୫ ମିମି ତୁଳନାରେ ୫୦% ଅଧିକ । ରାଜ୍ୟରେ ଏବେ ବର୍ଷାର ପରିମାଣ କମ୍ ରହିଥିବା ବେଳେ ୧୨ ଓ ୧୩ ତାରିଖ ଆଡ଼କୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି । ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ବର୍ଷା ସମ୍ଭାବନା ମଧ୍ୟ ରହିଛି । ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିପାରେ ।