ଓଡ଼ିଶାର କିଛି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଗତ କାଲିର ଘୂର୍ଣ୍ଣିବଳୟ ଆଜି (ଶୁକ୍ରବାର) ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିଲୋମିଟର ଯାଏଁ ସକ୍ରିୟ ରହିଛି। ଏଥିସହ ବାୟୁମଣ୍ଡଳରେ ପୂର୍ବ-ପଶ୍ଚିମ ବାୟୁ ପ୍ରବାହର ତାରତମ୍ୟ ସ୍ତର ୧୯ ଡ଼ିଗ୍ରି ଉତ୍ତର ଅକ୍ଷାଂଶ ଅଞ୍ଚଳରେ ୫.୮ କିଲୋମିଟର ଉଚ୍ଚତାରେ ସକ୍ରିୟ ରହିଛି।
ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ ରେଖା ଆଜି (ଶୁକ୍ରବାର) ରାଜସ୍ଥାନର ବିକାନରରୁ ବାହାରି, ଜୟପୁର, ଗୁନା ,ସତନା, ପେନ୍ଦ୍ରା-ରୋଡ଼, ଦେଇ ଓଡ଼ିଶାର ବାଲେଶ୍ୱରରୁ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିବା ସହ ୧୫.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୮ମିମି ତୁଳନାରେ ୪୫% ଅଧିକ ରହିଛି।
ଏ ପରିସ୍ଥିତିରେ ଆଜି ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବାର ସମ୍ଭାବନା ରହିଛି। ତେବେ, ପଶ୍ଚିମ ଓଡ଼ିଶା ତଥା ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୮ ଜୁଲାଇ, ଶନିବାର ଅପରାହ୍ନ ସୁଦ୍ଧା ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, କଳାହାଣ୍ଡି, ଦକ୍ଷିଣ ଓଡ଼ିଶାର କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ସେହିପରି ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।
ଏହି ସମୟ ମଧ୍ୟରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆକାଶ ମେଘାଛନ୍ନ ରହିବା ସହ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।