ରେଡ୍ ବେଳେ କର୍ମଚାରୀଙ୍କ ଘରୁ ମିଳିଲା ୩୦ କୋଟି
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ଧରଣର ଆୟକର ଚଢ଼ାଉ ହୋଇଛି। ଏହି ଚଢ଼ାଉ ବେଳେ ଏକ ଜଣାଶୁଣା ରିୟଲ ଇଷ୍ଟେଟ୍ କମ୍ପାନିର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଟଙ୍କା ଆୟକର ବିଭାଗ ଜବତ କରିଛି । ସେ ଏକ ସରକାରୀ ଘରେ ଭଡା ରହୁଥିବା ଜଣାପଡ଼ିଛି। ଉକ୍ତ ଭଡ଼ା ଘରୁ ୩୦ କୋଟି ଟଙ୍କା ମିଳିଥିବା ସୂଚନା ରହିଛି। ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି। ତେବେ ସେ କେବଳ ୫୦୦ ଟଙ୍କିଆ ନୋଟ୍ ହିଁ ତାଙ୍କ ଘରେ ରଖିଥିଲେ। ୧୦ରୁ ୧୨ ଜଣ ଆଇଟି ଅଧିକାରୀ ଏହି ଚଢ଼ାଉରେ ସାମିଲ୍ ଅଛନ୍ତି। ଆୟକର ଅଧିକାରୀମାନେ ଭୋର୍ ୩ଟା ବେଳୁ ଆସି ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। କମ୍ପାନିର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ମଧ୍ୟ ଚଢାଉ କରାଯାଉଥିବା ସୂଚନା ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏକା ସାଙ୍ଗରେ ଏହି ଚଢ଼ାଉ କରାଯାଉଥିବା ସୂଚନା ରହିଛି। ଆଜି ସକାଳୁ ଭୁବନେଶ୍ୱର ୪ ନମ୍ବରରେ ଏହି ଚଢ଼ାଉ ହୋଇଥିଲା। ଆଇଆରସି ଭିଲେଜସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବି ଚଢ଼ାଉ କରିଥିଲା ଆୟକର ବିଭାଗ।