ହୀରା ବ୍ୟବସାୟୀଙ୍କ ଘରେ ସିବିଆଇ
ଭୁବନେଶ୍ୱର : ବିଜନେସ୍ ନାଁରେ ବ୍ୟାଙ୍କରୁ ୬ କୋଟି ଲୋନ୍ କରି ତାହାକୁ ଚଳୁ କରି ଦେବା ଏବେ ହୀରା ବ୍ୟବସାୟୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଫଳରେ କାଲିଠୁ ଘରେ ପଶି ଘାଣ୍ଟୁଛି ସିବିଆଇ । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏହି ଠକେଇ କରିଥିବା କୋଟିପତି ବିଜନେସମ୍ୟାନ ଜଣକ ହେଊଛନ୍ତି ଦ୍ୱାରିକାନାଥ ପାତ୍ର ।ଦ୍ୱାରିକାନାଥ ପାତ୍ର ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ହୋଇଥିବା ବେଳେ ସେ ହୀରା, ସୁନା ବ୍ୟବସାୟ କରିଥାନ୍ତି। ନିଜ ବ୍ୟବସାୟ ନିମନ୍ତେ ସେ ୨୦୧୩ ମସିହାରେ ଆହ୍ଲାବାଦ ବ୍ୟାଙ୍କରୁ ୬ କୋଟି ଟଙ୍କା ଲୋନ୍ ନେଇଥିଲେ। ପରେ ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କରେ ମିଶି ଯାଇଥିଲା। ଯେଉଁ ବିଜନେସ ନାଁରେ ଲୋନ୍ କରିଥିଲେ,ସେ ଉକ୍ତ ବିଜନେସ କରି ନଥିବା ବେଳେ ବ୍ୟାଙ୍କକୁ ଲୋନ୍ ଶୁଝି ନଥିଲେ। ଫଳରେ ସୁଧ ମିଶି ଏହି ଲୋନ୍ ଟଙ୍କା ଏବେ ୭ କୋଟିକୁ ବୃଦ୍ଧି ପାଇଛି।
ଏନେଇ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ଜୋନାଲ ମ୍ୟାନେଜର ଦିଲ୍ଲୀ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ଦିଲ୍ଲୀ ସିବିଆଇ ଭୁବନେଶ୍ୱର ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବା ପରେ ଗତକାଲିଠୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଦ୍ୱାରିକାନାଥ ପାତ୍ରଙ୍କ ସମେତ ୬ ଜଣଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ମାମଲା ରୁଜୁ କରିଛି ସିବିଆଇ। ଏହି ଘଟଣାରେ ସହିଦ ନଗର ଅଫିସ ଓ ଲକ୍ଷ୍ମୀ ସାଗର ଘର ଉପରେ ଗତକାଲିଠୁ ସିବିଆଇ ଚଢ଼ାଉ ଜାରି ରହିଛି।